ବିହନ ଧାନ ବିକ୍ରି ଚଳିତ ବର୍ଷ କମିଛି
ଭୁବନେଶ୍ବର : ଚଳିତ ବର୍ଷ ସରକାରୀ ଅଣଧାନ ବିହନ ବିକ୍ରି ପ୍ରାୟତଃ ଠପ୍ ହୋଇଛି। ଧାନ ବିହନ ବିକ୍ରି ୫୦ ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ ପୁନର୍ବାର କାର୍ଯ୍ୟକାରୀ କରାଯାଇଥିବା ଓଟିପି ସିଷ୍ଟମ ଯୋଗୁଁ ସରକାରୀ ବିହନ ବିକ୍ରି ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ରାଜ୍ୟରେ ୬ ହଜାରରୁ ଅଧିକ ଗାଁରେ ମୋବାଇଲ ନେଟ୍ଓ୍ବର୍କ ନାହିଁ। ଏଭଳି ସ୍ଥିତିରେ ଓଟିପି ଜରିଆରେ ବିହନ ରିହାତିର ଲାଭ ଚାଷୀଙ୍କୁ କିଭଳି ମିଳିବ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଲାଭ ଉଠାଇ କମ୍ପାନି ବିହନ ବିକ୍ରି ବୃଦ୍ଧି ପାଇଛି ।
ବିହନ ନିଗମର ସୂଚନା ଅନୁଯାୟୀ, ଖରିଫରେ ଓଡ଼ିଶା ଚାଷୀଙ୍କୁ ୧୦ ଲକ୍ଷ କ୍ବିଣ୍ଟାଲ ଧାନ ବିହନର ଆବଶ୍ୟକତା ଥାଏ। ଗତବର୍ଷ ବିହନ ନିଗମ ପକ୍ଷରୁ ୫ ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଣ ହୋଇଥିଲା। ଚଳିତ ବର୍ଷ ହ୍ରାସ କରାଯାଇ ୩ ଲକ୍ଷ କ୍ବିଣ୍ଟାଲ ଯୋଗାଣ ହୋଇଛି। ଗତବର୍ଷ ଏହି ସମୟ ମଧ୍ୟରେ ୧ ଲକ୍ଷ ୩୦ ହଜାର କ୍ବିଣ୍ଟାଲ ବିହନ ବିକ୍ରି ହୋଇ ସାରିଥିଲା।
ଚଳିତ ବର୍ଷ ବର୍ତମାନ ପର୍ଯ୍ୟନ୍ତ କେବଳ ୬୦ ହଜାର କ୍ବିଣ୍ଟାଲ ସରକାରୀ ଧାନ ବିହନ ବିକ୍ରି ହୋଇଛି। କିନ୍ତୁ ଏହା ଚାଷୀ କ୍ରୟ କରିଥିବା ବିହନ ନୁହେଁ ବରଂ ନିଗମ ଠାରୁ ଡିଲର ନେଇଥିବା ବିହନ। ଅର୍ଥାତ ଚାଷୀ କ୍ରୟ କରିଥିବା ବିହନ ଆହୁରି କମ ହୋଇଥିବା ଆଶଙ୍କା କରାଯାଉଛି। ବିରିରେ ୪ ହଜାର କ୍ବିଣ୍ଟାଲ ବିକ୍ରିର ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ୧୪୦୦ କ୍ବିଣ୍ଟାଲ ବିକ୍ରି ପାଇଁ ପ୍ରସ୍ତୁତ ହୋଇଛି। କିନ୍ତୁ ଡିଲର ଜରିଆରେ କିଛି ବିକ୍ରି ହୋଇ ନାହିଁ। ଗତବର୍ଷ ଏହି ସମୟରେ ୨ ହଜାର କ୍ବିଣ୍ଟାଲ ବିହନ ବିକ୍ରି ହୋଇଥିଲା। ଝୋଟ ୧୩୨ କ୍ବିଣ୍ଟାଲ ବିକ୍ରି ପାଇଁ ରହିଛି। ମୁଗ ବିକ୍ରି ଆରମ୍ଭ ମଧ୍ୟ ହୋଇ ନାହିଁ। ଗତବର୍ଷ ମଧ୍ୟ ମୁଗ ମାତ୍ର ୪୦ କ୍ବିଣ୍ଟାଲ ବିକ୍ରି ହୋଇଥିଲା। ବାଦାମ ମଧ୍ୟ ମାତ୍ର ୧୦୦ କ୍ବିଣ୍ଟାଲ ବିକ୍ରି ହୋଇଛି।
Comments are closed.