ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଉତ୍ତରପ୍ରଦେଶରେ ସଫଳ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଉତ୍ତରପ୍ରଦେଶରେ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି ଏବଂ ଏହା କେବଳ ୨/୩ଟି ଜିଲ୍ଲା ଅତିକ୍ରମ କରିଛି। ତେବେ ଏହା ସତ୍ତ୍ବେ ରାଜ୍ୟରେ ଏହି ଯାତ୍ରାରୁ ଏକ ବଡ଼ ସଫଳତା କଂଗ୍ରେସ ହାସଲ କରିଛି ଏବଂ ତାହା ହେଉଛି ମୁସ୍ଲିମ ସଂପ୍ରଦାୟର ବିପୁଳ ସମର୍ଥନ। ରାଜ୍ୟରେ ରାହୁଲଙ୍କ ସମଗ୍ର ଯାତ୍ରା ସମୟରେ ମୁସ୍ଲିମ ସଂପ୍ରଦାୟର ହଜାର ହଜାର ଯୁବକ ସ୍ପତଃସ୍ଫୂର୍ତ୍ତ ସାମିଲ ହୋଇଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୁସ୍ଲିମମାନେ ଯାତ୍ରାରେ ସାମିଲ ହେବା ସମାଜବାଦୀ ପାର୍ଟି (ସପା)ର ଚିନ୍ତା ବଢ଼ାଇଛି।
କଂଗ୍ରେସ ହାତରୁ ମୁସ୍ଲିମ ଭୋଟ୍ ବ୍ୟାଙ୍କ୍ ଖସୁଥିବା ସମୟରେ ରାହୁଲଙ୍କ ଏହି ଯାତ୍ରା ଏହି ଧାରାରେ ରୋକ୍ ଲଗାଇବା ସହ ଦଳ ପ୍ରତି ପୁଣି ମୁସ୍ଲିମଙ୍କ ସମର୍ଥନ ଫେରାଇବାରେ ସକ୍ଷମ ହୋଇଛି। ଏହାକୁ ନେଇ ସପା ଏବେ ନୂଆ ରାଜନୈତିକ ସଙ୍କଟର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ବରିଷ୍ଠ ସପା ନେତାମାନେ ଏହାକୁ ନେଇ ମନ୍ଥନ ଆରମ୍ଭ କରିଦେଇଛନ୍ତି ଏବଂ ଆଗାମୀ ଦିନରେ କଂଗ୍ରେସକୁ ନେଇ ସେମାନଙ୍କ ରଣନୀତି ବଦଳିବ ବୋଲି କୁହାଯାଉଛି।
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ୨୦୨୪ ନିର୍ବାଚନ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ବେଳେ ଉତ୍ତରପ୍ରଦେଶ ହିଁ ଏଥିରେ ନିର୍ଣ୍ଣାୟକ ହେବ। ଏବେ ମୁସ୍ଲିମ ସଂପ୍ରଦାୟର ସମର୍ଥନ କଂଗ୍ରେସ ଭିତରେ ନୂଆ ଶକ୍ତିର ସଂଚାର କରିଥିବା ବେଳେ ସପା ଏବଂ ବହୁଜନ ସମାଜ ପାର୍ଟି (ବସପା)କୁ କିଛି ନୂଆ ଚିନ୍ତା କରିବାକୁ ବାଧ୍ୟ କରିଛି। ପଶ୍ଚିମ ୟୁପିର ମୁସ୍ଲିମ ଉଲେମାମାନେ ରାହୁଲଙ୍କ ଯାତ୍ରାରେ ସାମିଲ ହେବା ସପା-ବସପା ପାଇଁ ଏକ କଡ଼ା ବାର୍ତ୍ତା ବୋଲି କୁହାଯାଉଛି।
Comments are closed.