ପୁରୀକୁ ଜଗିବ ସିସିଟିଭି : ଲାଗିବ ୬୦୦ରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରା

0

ପୁରୀକୁ ଜଗିବ ସିସିଟିଭି। ୬୦୦ରୁ ଅଧିକ ହାଇକାପାସିଟି ସିସିଟିଭି ସର୍ଭେଲାନ୍ସରେ ରହିବ ସମ୍ପୂର୍ଣ୍ଣ ପୁରୀ ସହର। କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ୍‌ ସହିତ ଯୋଡି ହେବ ସମସ୍ତ ସିସିଟିଭି। ସହରକୁ ସୁରକ୍ଷିତ, ଅପରାଧମୁକ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଶ୍ରୀମନ୍ଦିର, ବଡଦାଣ୍ଡ, ସମୁଦ୍ରକୂଳ, ପୁରୀର ପ୍ରବେଶପଥ ଓ ସାହି ଗଳିକନ୍ଦିକୁ ଜଗିବ ସିସିଟିଭି। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଏହା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି।

ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନର ସହର ପୁରୀ। ଏଠାକୁ ପ୍ରତିଦିନ ଦେଶ ବିଦେଶରୁ ଭକ୍ତ, ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କର ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେହିପରି ଟ୍ରାଫିକର ସୁପରିଚାଳନା ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ସିସିଟିଭିର ଯଥେଷ୍ଟ ଗୁରୁତ୍ୱ ରହିଛି। ଏହାକୁ ଉପଲବ୍ଧି କରି ୨୦୧୫ ନବକଳେବର ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୨ କୋଟି ଟଙ୍କା ବିନିମୟରେ ୧୮୫ଟି ସିସିଟିଭି କ୍ୟାମେରା ପୁରୀରେ ଲଗାଯାଇଥିଲା। ୨୦୧୯ ଫନୀ ବାତ୍ୟାରେ ସିସିଟିଭିଗୁଡ଼ିକ ନଷ୍ଟ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ କେବଳ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡରେ ଅଳ୍ପ ସିସିଟିଭି ସଜଡା ଯାଇଥିଲା। ହେଲେ ସହରର ପ୍ରବେଶ ପଥ ହେଉ କି ପ୍ରମୁଖ ଛକ ସବୁ ମୁକୁଳା ପଡିଛି। ଯାହାର ଫାଇଦା ନେଉଛନ୍ତି ଅସାମାଜିକ ଯୁବକ। ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଘଟାଇ ପୁଲିସ ଆଖିରୁ ଖସି ଯାଉଛନ୍ତି। ସେହିପରି ଭକ୍ତ, ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଟ୍ରାଫିକ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ନଜରରେ ରଖିବା ଲାଗି ହୋଇଛି ଯୋଜନା।

Leave A Reply

Your email address will not be published.