ଶ୍ରୀ ମନ୍ଦିର ବିବାଦରେ ରାୟ ଶୁଣାଣି କରିବାକୁ ମନା କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାର ତ୍ବରିତ ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ବିଚାରପତି ଜଷ୍ଟିସ ବି.ଆର୍. ଗଭାଇ ଓ ଜଷ୍ଟିସ ହିମା ‌କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆମେ ଏହି ମାମଲାର ଶୁଣାଣି କରିପାରିବୁ ନାହିଁ। ଏଥିରେ ଟେକ୍‌ନିକାଲ ସମସ୍ୟା ରହିଛି। ପ୍ରଧାନ ବିଚାରପତି ମାମଲା ଆବଣ୍ଟନ ନକରିବା ପର୍ଯ୍ୟନ୍ତ ଆମେ ଶୁଣାଣି କରିବା ସମ୍ଭବ ନୁହେଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ହୋଇଥିବା ବେଆଇନ ନିର୍ମାଣ ଏବଂ ମନ୍ଦିର ଚାରିପଟେ ଜବରଦଖଲକୁ ନେଇ ଦାଖଲ ଦୁଇଟି ସ୍ବତନ୍ତ୍ର ଲିଭ ପିଟିସନର ତ୍ବରିତ ଶୁଣାଣି ଲାଗି ଗତକାଲି ଖଣ୍ଡପୀଠ ରାଜି ହୋଇଥିଲେ।

ଏହାସତ୍ତ୍ବେ ଶୁଣାଣି ପାଇଁ ଆଜି ମାମଲା ତାଲିକାଭୁକ୍ତ କରାଯାଇନଥିଲା। ଏଣୁ ଖଣ୍ଡପୀଠଙ୍କ ନିକଟରେ ପୁଣି ଥରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ଆବେଦନକାରୀ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହ‌ାଲକ୍ଷ୍ମୀ ପାଭାନୀ ମାମଲାର ତ୍ବରିତ ଶୁଣାଣି ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ଗତକାଲି ଖଣ୍ଡପୀଠଙ୍କ ଆଦେଶ ସତ୍ତ୍ବେ ଆଜି ଏହି ମାମଲାର ଶୁଣାଣିକୁ ତାଲିକାଭୁକ୍ତ କରାଯାଇନାହିଁ। ପ୍ରକଳ୍ପରେ ବେଆଇନ ନିର୍ମାଣ ଜାରି ରହିଛି। ଏଣୁ ମାମଲାର ତ୍ବରିତ ଶୁଣାଣି କରାଯିବାର ଆବଶ୍ୟକତା ରହିଛି।

Comments are closed.