ପୁଟିନଙ୍କୁ ଭେଟିବେ ଉତ୍ତର କୋରିଆ ରାଷ୍ଟ୍ରପତି, ଚିତରେ ଆମେରିକା

ନୂଆଦିଲ୍ଲୀ: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନ ଚଳିତ ମାସରେ ଋଷ ଗସ୍ତରେ ଯାଇପାରନ୍ତି ଓ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିପାରନ୍ତି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, କିମ ଜୋଙ୍ଗ ସେପ୍ଟେମ୍ବରରେ ପୁଟିନଙ୍କୁ ଭେଟିବା ପାଇଁ ଋଷ ଗସ୍ତରେ ଯାଇପାରନ୍ତି | ବିଶେଷ କରି ୟୁକ୍ରେନରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ ସମ୍ଭାବନା ଉପରେ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିମ ଟ୍ରେନରେ ଋଷର ଭ୍ଲାଡିଭୋଷ୍ଟୋକ ଅଭିମୁଖେ ଯିବେ ଏବଂ ସେଠାରେ ସେ ପୁଟିନଙ୍କୁ ଭେଟିବେ। ଏହାପୂର୍ବରୁ ହ୍ୱାଇଟ ହାଉସ ଦାବି କରିଥିଲା ଯେ ୟୁକ୍ରେନ ଯୁଦ୍ଧ ପାଇଁ ଋଷ ପାଖରେ ଅସ୍ତ୍ରଶସ୍ତ୍ର ଭଣ୍ଡାର କମିଆସୁଥିବାବେଳେ ଋଷ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଦେବାକୁ ଅନୁରୋଧ କରିଛି | ଆମେରିକାର ଦାବି ଅନୁଯାୟୀ, ଭ୍ଲାଦିମିର ପୁଟିନ କିମ ଜୋଙ୍ଗ ଉନଙ୍କୁ କ୍ଷେପଣାସ୍ତ୍ର, ବୋମା, ଗୁଳି ସାହାଯ୍ୟ କରିବାକୁ ଏକ ଚିଠି ଲେଖିଥିଲେ ।

ଏହି ମାସରେ ଉତ୍ତର କୋରିଆ ସହିତ ମିଳିତ ସାମରିକ ଅଭ୍ୟାସ ଆୟୋଜନ କରିବାକୁ ଋଷ ଆଲୋଚନା କରିଥିବାବେଳେ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ କିଛି ଦିନ ତଳେ ଉତ୍ତର କୋରିଆର ପ୍ରତିନିଧି ମଣ୍ଡଳ ମଧ୍ୟ ଋଷ ଗସ୍ତରେ ଯଇଥିଲେ | ଆଉ ଏହାରି ଭିତରେ କିମଙ୍କ ଋଷ ଗସ୍ତ ବହୁତ ଗୁରୁତ୍ୱ ବହନ କରୁଛି | ଉଲ୍ଲେଖ ଥାଉ କି କିଛିଦିନ ତଳେ ଋଷର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଉତ୍ତର କୋରିଆ ଗସ୍ତରେ ଯାଇଥିଲେ | ଆମେରିକା ଏହା ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲା ଯେ ଋଷକୁ ଉତ୍ତର କୋରିଆ ଅଧିକ ଅସ୍ତ୍ର ଯୋଗାଇ ଦେଇପାରେ | ଉଲ୍ଲେଖ ଥାଉ କି ଋଷ ଫେବୃଆରୀ ୨୦୨୨ ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ଦୃଢ ବିରୋଧ କରୁଛନ୍ତି। କିନ୍ତୁ ମସ୍କୋ ଏହାକୁ ଏକ ସ୍ୱତନ୍ତ୍ର ସାମରିକ ଅପରେସନ୍ ବୋଲି କହିଥିଲା ।

Comments are closed.