ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍ ଗଣତି ହେବ। ଜୁଲାଇ ୨୫ ତାରିଖରେ ନୁଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। ନିର୍ବାଚନ କମିସନ ଆଜି ଏହା ଘୋଷଣା କରିଛନ୍ତି। ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କୋବିନ୍ଦଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ୧୮ରେ ଭୋଟ୍ ଗ୍ରହଣ ହେବ। ସାଂସଦ ଏବଂ ବିଧାୟକମାନଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବ। ଇଲେକଟୋରାଲ କଲେଜରେ ମୋଟ୍ ୪,୮୦୯ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ସାଂସଦ ଥିବା ବେଳେ ୪୦୩୩ ଜଣ ହେଉଛନ୍ତି ବିଧାୟକ।
ନିର୍ବାଚନ କମିସନ ସ୍ପଷ୍ଟ କରିଦେଇଛନ୍ତି େଯ କୌଣସି ରାଜନୈତିକ ଦଳ ନିଜ ସଦସ୍ୟଙ୍କୁ ହ୍ବିପ୍ ଜାରି କରିପାରିବେନି। ଯେଉଁମାନେ ପ୍ରିଭେଣ୍ଟିଭ୍ ଡିଟେନସନ୍ରେ ଅଛନ୍ତି ସେମାନେ ଭୋଟ୍ ଦେଇପାରିବେ ଏବଂ ଯେଉଁମାନେ ଜେଲ୍ରେ ଅଛନ୍ତି ସେମାନେ ପାରୋଲ୍ ପାଇଁ ଆବେଦନ କରିବେ। ଯଦି ପାରୋଲ୍ ମଂଜୁର ହୁଏ ତେବେ ସେମାନେ ଭୋଟ୍ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି।
କମିସନଙ୍କ ସୂଚନା ଅନୁଯାୟୀ ଜୁନ୍ ୧୫ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ। ଜୁନ୍ ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଜୁନ୍ ୩୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଜୁଲାଇ ୨ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ଆବଶ୍ୟକ ପଡ଼ିଲେ ଜୁଲାଇ ୧୮ରେ ନିର୍ବାଚନ ହେବ। ଜୁଲାଇ ୨୧ରେ ଭୋଟ୍ ଗଣତି କରାଯିବ। ସଂସଦ ଭବନ ଏବଂ ରାଜ୍ୟ ବିଧାନସଭା ପରିସରରେ ଭୋଟ୍ ଗ୍ରହଣ କରାଯିବ। ସାଂସଦମାନେ ସଂସଦରେ ଭୋଟ୍ ଦେବେ ଏବଂ ବିଧାୟକମାନେ ନିଜ ନିଜ ରାଜ୍ୟ ବିଧାନସଭାରେ ଭୋଟ୍ ଦେବେ।
Comments are closed.