ମାସ୍କ ନାହିଁ ତ ପେଟ୍ରୋଲ ନାହିଁ
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅଭିନବ ନିର୍ଦ୍ଦେଶନାମା ଜାରି ହୋଇଛି । ଏଣିକି ମାସ୍କ ପିନ୍ଧିନଥିଲେ ରାଜଧାନୀ ଭୁବନେଶ୍ୱରରେ ଥିବା ସପିଂ ମଲଠୁ ଆରମ୍ଭ କରି ସବୁ ଦୋକାନ, ଏପରିକି ପେଟ୍ରୋଲ ଟାଙ୍କିରେ ମଧ୍ୟ ଜିନିଷ କିମ୍ବା ତେଲ ମିଳିବ ନାହିଁ । ମାସ୍କ ପିନ୍ଧିନଥିବା ଲୋକଙ୍କୁ ପେଟ୍ରୋଲ କିମ୍ବା ଜିନିଷ ବିକ୍ରି ନକରିବା ପାଇଁ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକମାନଙ୍କୁ ଆଜି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ବିଏମସି କମିଶନରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଏମସି ଅଂଚଳ ଭିତରେ ରହୁଥିବା ତଥା ବିଏମସି ଅଂଚଳକୁ ଆସୁଥିବା ସମସ୍ତ ଲୋକ ସର୍ବସାଧାରଣ ସ୍ଥାନରେ ଉଭୟ ପାଟି ଓ ନାକ ଠିକ୍ ଭାବେ ଘୋଡ଼ାଇ ହେଉଥିବା ଭଳି ମାସ୍କ ପିନ୍ଧିବା ଜରୁରୀ । ରାଜଧାନୀରେ ଥିବା ସମସ୍ତ ସପିଂ ମଲ୍ , ଦୋକାନ, ଷ୍ଟୋର ଆଦିର ମାଲିକମାନେ ତାଙ୍କ ପ୍ରତିଷ୍ଠାନ ଭିତରକୁ ବିନା ମାସ୍କରେ କୌଣସି କର୍ମଚାରୀ ଓ ଗ୍ରାହକଙ୍କୁ ପ୍ରବେଶର ଅନୁମତି ଦେବେନି । ମାସ୍କ ପିନ୍ଧିନଥିଲେ କୌଣସି ସାମଗ୍ରୀ ମଧ୍ୟ ସେମାନଙ୍କୁ ବିକ୍ରି କରିବେ ନାହିଁ । ଏସବୁ ପ୍ରତିଷ୍ଠାନର ପ୍ରବେଶ ପଥରେ ‘ନୋ ମାସ୍କ, ନୋ ଏଂଟ୍ରି / ନୋ ମାସ୍କ ନୋ ଗୁଡସ୍ ’ର ସାଇନ୍ ବୋର୍ଡ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବାକୁ କୁହାଯାଇଛି ।
ସେହିପରି ପେଟ୍ରୋଲ ପମ୍ପଗୁଡ଼ିକରେ ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ତେଲ ନଦେବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ପେଟ୍ରୋଲ ପମ୍ପ ମାଲିକମାନେ ମଧ୍ୟ ଏନେଇ ସାଇନ୍ ବୋର୍ଡ ମାରିବାକୁ ବିଏମସି ପରାମର୍ଶ ଦେଇଛି ।
ଏସବୁ ବ୍ୟତୀତ ବିଭିନ୍ନ ସରକାରୀ ଅଫିସର ମୁଖ୍ୟ ଓ ଘରୋଇ କମ୍ପାନୀର ସିଇଓ/ମ୍ୟାନେଜର ଆଦିଙ୍କୁ ମଧ୍ୟ ସେମାନଙ୍କ କର୍ମଚାରୀମାନେ ଅଫିସରେ ଥିବାବେଳେ ଯେପରି ସବୁ ସମୟରେ(କେବଳ ଖାଇବା ସମୟକୁ ଛାଡ଼ି) ମାସ୍କ ପିନ୍ଧିବେ ତାହା ସୁନିଶ୍ଚିତ କରାଇବେ ।
Comments are closed.