ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତଙ୍କୁ ଝଟକା

ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜବରଦସ୍ତ ଝଟ୍‌କା। ନିଜ ଗଡ଼କୁ ନିଜେ ରଖିପାଲେନି। ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ତାଙ୍କ କ୍ରେଜ୍‌ କାମକଲାନି। ତାଙ୍କ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଆପ୍‌ ପ୍ରାର୍ଥୀ ପରାଜିତ ହୋଇଛନ୍ତି। ରବିବାର ଆସିଥିବା ଫଳାଫଳରେ ଶିରୋମଣି ଅକାଳୀଦଳର ପ୍ରାର୍ଥୀ ସିମରଞ୍ଜିତ ସିଂହ ମାନ୍‌ ଶାସକ ଦଳର ପ୍ରାର୍ଥୀଙ୍କୁ ହରାଇ ବିଜୟ ଲାଭ କରିଛନ୍ତି। ସଙ୍ଗ୍ରରୁର୍‌ ଆସନରେ ହୋଇଥିବା ଉପନିର୍ବାଚନରେ ସିମରଞ୍ଜିତ୍ ସିଂହ ମାନ୍‌ ଆପ ପ୍ରାର୍ଥୀ ଗୁରୁମେଲ ସିଂହଙ୍କୁ ୫,୮୦୦ ଭୋଟରେ ପରାସ୍ତ କରିଛନ୍ତି।

ଉଭୟଙ୍କ ମଧ୍ୟରେ ଏଠାରେ ଜୋରଦାର ଲଢ଼େଇ ହୋଇଥିଲା। ୭୭ ବର୍ଷୀୟ ସିମରଞ୍ଜିତ ସିଂହ ଜଣେ ପୂର୍ବତନ ଏମପି ହୋଇଥିବା ବେଳେ ଶିରୋମଣି ଅକାଳୀ ଦଳର ଅମ୍ରୃତସର ସଭାପତି ଅଛନ୍ତି। ଏହି ନିର୍ବାଚନରେ କଂଗ୍ରେସ ପକ୍ଷରୁ ଦଲଭିର ସିଂ ଗୋଲଡି, ବିଜେପିରୁ କିୱାଲ ଡିଲନ୍‌ ଏବଂ ଅକାଳୀ ଦଳ ପକ୍ଷରୁ କୌର ରଜୋଅନା ପ୍ରତିଦ୍ୱନ୍ଦିତା କରୁଥିଲେ। ଆଜି ସକାଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗତ ଜୁନ୍‌ ୨୩ରେ ହୋଇଥିବା ଉପନିର୍ବାଚନ ପାଇଁ ମଇଦାନକୁ ୧୬ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ। ୨୦୧୯ ତୁଳନାରେ ଚଳିତ ଉପନିର୍ବାଚନରେ ଭୋଟ୍‌ ପ୍ରତିଶତ ଯଥେଷ୍ଟ ହ୍ରାସ ପାଇଥିଲା। ୨୦୧୯ରେ ସାଧାରଣ ନିର୍ବାଚନରେ ଏଠାରେ ୭୨.୪୪ ପ୍ରତିଶତ ଭୋଟ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ୪୫.୩୦ ପ୍ରତିଶତ ଭୋଟ୍‌ ରେକର୍ଡ଼ ହୋଇ ଥିଲା । ଉକ୍ତ ନିର୍ବାଚନମଣ୍ଡଳୀରେ ୧୫.୬୯ ଲକ୍ଷ ଭୋଟର ମତଦାନ ପାଇଁ ଯୋଗ୍ୟ ହୋଇଛନ୍ତି । ଭଗୱନ୍ତ ସିଂହ ମାନ୍‌ ବିଧାନସଭା ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହି ଆସନରୁ ଇସ୍ତଫା ଦେଇଥିଲେ।

Comments are closed.