ଋଣ ବୋଝ ତଳେ ଚାପି ହୋଇଯିବକି ପାକିସ୍ତାନ
ଇସଲାମାବାଦ୍ : ଚାଇନାର ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନ ଅର୍ଥନୈତିକ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏହି ଋଣରୁ ମୁକ୍ତି ପାଇବା ପାଇଁ ପାକିସ୍ତାନର ବେଆଇନ ଦଖଲରେ ଥିବା ପାକ୍ ଅଧିକୃତ କାଶ୍ମୀରର ଗିଲ୍ଗିଟ୍-ବଲ୍ଟିସ୍ତାନ ଅଞ୍ଚଳକୁ ଚାଇନାକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେଉଛି। ଏହା କରି ପାକିସ୍ତାନ ଚାଇନାର ଋଣ ଚାପରୁ କିଛି ମାତ୍ରାରେ ମୁକ୍ତି ପାଇପାରିବ।
ଏଏନଆଇର ରିପୋର୍ଟରେ ପାକିସ୍ତାନର ଯୋଜନା ବିଷୟରେ ସୂଚନା ଦିଆଯାଇଛି। ଯଦି ଏହା ଘଟେ, ତେବେ ଭାରତର ଚିନ୍ତା ବଢ଼ିବାର ଆଶଙ୍କା ରହିଛି। ଏହା ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ଏହି କାର୍ଯ୍ୟରେ ଆମେରିକା ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସହାୟତା ପାଇବାରେ ମଧ୍ୟ ଅସୁବିଧା ହୋଇପାରେ।
ଦକ୍ଷିଣ ଏସିଆରେ ନିଜର ପ୍ରାଧାନ୍ୟ ବଢ଼ାଇବାକୁ ସୁଯୋଗ ଖୋଜୁଥିବା ଚାଇନା ପାଇଁ ଏହା ଏକ ବଡ଼ ସୁଯୋଗ ହେବ ବୋଲି କୁହାଯାଉଛି। କାରଣ, ଚାଇନା ପାକିସ୍ତାନ ଅଥନୈତିକ କରିଡର (ସିପିଇସି) କେବଳ ଗିଲ୍ଗିଟ୍-ବଲ୍ଟିସ୍ତାନ ଦେଇ ଯାଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ ଗିଲ୍ଗିଟ୍-ବଲ୍ଟିସ୍ତାନର ଅଞ୍ଚଳ ଆଗାମୀ ସମୟରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ହେବାର ଏକ ନୂତନ ସ୍ଥାନ ଭାବରେ ଉଭା ହୋଇପାରେ। ତେବେ ଚାଇନା ପାଇଁ ଏହି ଅଞ୍ଚଳ ଦଖଲ କରିବା ଏତେ ସହଜ ହେବ ନାହିଁ। ଆନ୍ତର୍ଜାତୀୟ ବିରୋଧ ସହିତ ଗିଲ୍ଗିଟ୍-ବଲ୍ଟିସ୍ତାନରେ ରହୁଥିବା ଲୋକମାନେ ଏହାର ବିରୋଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ ସେଠାରେ ଥିବା ଲୋକମାନେ ସିପିଇସି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗିଲ୍ଗିଟ୍-ବାଲ୍ଟିସ୍ତାନ ଅଞ୍ଚଳରେ ସରକାର ସ୍ଥାନୀୟ ପ୍ରଶାସନକୁ କମ କ୍ଷମତା ପ୍ରଦାନ କରିସାରିଛନ୍ତି। ରୋଜଗାର, ବିଦ୍ୟୁତ, ଶିକ୍ଷା ଭଳି ଅତ୍ୟାବଶ୍ୟକ ସେବା ଉପଲବ୍ଧ ନହେବା କାରଣରୁ ଗିଲ୍ଗିଟ୍-ବଲ୍ଟିସ୍ତାନର ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ମୋଟ ଆତ୍ମହତ୍ୟାର ୯ ପ୍ରତିଶତ ଏହି ଅଞ୍ଚଳରେ ଘଟିଥାଏ।
Comments are closed.