ମୁହଁ ଖୋଲିଲେ କାର୍ଯ୍ୟାନୁଷ୍ଠାନ: ସପ୍ତାହକ ଭିତରେ କଂଗ୍ରେସରୁ ବହିଷ୍କୃତ ହେଲେଣି ୬ ନେତା

ରାଜ୍ୟ କଂଗ୍ରେସରେ ଚାଲିଛି ବହିଷ୍କାର ପର୍ବ। ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନକୁ ନେଇ ଶୀର୍ଷ ନେତୃତ୍ବକୁ ଟାର୍ଗେଟ୍‌ କଲେ ଦଳରୁ ତଡ଼ା ଖାଇବାକୁ ପଡ଼ୁଛି। ଗତ ସପ୍ତାହ ଭିତରେ ୬ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଗଲାଣି। ଆଗକୁ ଆଉ କିଛି ନେତା ମଧ୍ୟ ବହିଷ୍କୃତ ହୋଇପାରନ୍ତି ବୋଲି ଦଳରେ ଜୋରଦାର ଆଲୋଚନା ହେଉଛି। ଚଳିତ ବିଧାନସଭା‌ ନିର୍ବାଚନରେ କଂଗ୍ରେସ ଆସନ ସଂଖ୍ୟାରେ ବୃଦ୍ଧି ହୋଇଛି। ଦଳରେ ଏବେ ୧୪ଜଣ ବିଧାୟକ ଅଛନ୍ତି। ଏହାସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଦ୍ବିତୀୟବାର ବିଜୟୀ ହୋଇଛନ୍ତି। ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ କଂଗ୍ରେସ ଚଳିତ ନିର୍ବାଚନରେ କଂଗ୍ରେସ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ୯ରୁ ୯୦ ଡାକରା ଦେଇଥିଲେ। ହେଲେ ପୂର୍ବ ନିର୍ବାଚନ ତୁଳନାରେ ଦଳରେ ବିଧାୟକଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଥିଲା। କାହିଁକି ଦଳ ଖରାପ ପ୍ରଦର୍ଶନ କଲା ତାହାକୁ ନେଇ ଦଳ ଭିତରେ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଥିଲା। ନିର୍ବାଚନ ଫଳାଫଳ ପରେ ଜୁନ୍ ୬ ତାରିଖରେ ପ୍ରଭାରୀ ଅଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଦଳବିରୋଧୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Comments are closed.