ରାଜ୍ୟ ଏବେ ନିଶା ମାଫିଆଙ୍କ ଟାର୍ଗେଟରେ
କଟକ : ୧୬ରୁ ୨୧ ବର୍ଷର ଛାତ୍ର ଓ ଯୁବକ ହେଉଛନ୍ତି ନିଶା ମାଫିଆଙ୍କର ଟାର୍ଗେଟରେ। ରାଜ୍ୟରେ ଏବେ ଲକ୍ଷେରୁ ଅଧିକ ଛାତ୍ରଯୁବକ କେବଳ ବ୍ରାଉନସୁଗାର ସେବନ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ଏହି ବୟସର ଛାତ୍ରଯୁବକଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ। ଏହି ବୟସର ଛାତ୍ର ଓ ଯୁବକଙ୍କୁ ଫସାଇବା ପାଇଁ ନିଶା ମାଫିଆ ଏବେ ସାରାରାଜ୍ୟରେ ଜାଲ ବିଛାଇବାରେ ଲାଗିଛନ୍ତି। କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ବେକାର ଯୁବକଯୁବତୀ ନିଶା ମାଫିଆଙ୍କ ଜାଲରେ ଅଧିକରୁ ଅଧିକ ସଂଖ୍ୟାରେ ଫସି ଚାଲିଥିବା ବେଳେ ସାରା ରାଜ୍ୟ ପାଇଁ ଏହା ବିପଦ ଡାକି ଆଣୁଛି। କିନ୍ତୁ ନିଶା ମାଫିଆଙ୍କ କବଳରୁ ଏହି ଛାତ୍ର ଓ ଯୁବକଙ୍କୁ ସୁରକ୍ଷିତ ରଖିବା ଦିଗରେ ଏଯାଏ କୌଣସି ବିଧିବଦ୍ଧ ଯୋଜନା କାର୍ଯ୍ୟକାରୀ ହେଉ ନଥିବାରୁ ଆଉ କିଛି ବର୍ଷ ମଧ୍ୟରେ ସ୍ଥିତି ବେକାବୁ ହେବା ଆଶଙ୍କା କରାଯାଉଛି ।
ବିଭିନ୍ନ ନିଶା ସାମଗ୍ରୀ ମଧ୍ୟରୁ ସବୁଠୁ ଅଧିକ ସଂଖ୍ୟାକ ବ୍ୟକ୍ତି ମଦ ପିଉଥିବା ବେଳେ ତା ପଛକୁ ଗଞ୍ଜେଇ ଏବଂ ତା ପରକୁ ରହିଛନ୍ତି ବ୍ରାଉନସୁଗାର ସେବନକାରୀ। ଏହି ତିନି ମୁଖ୍ୟ ନିଶାଦ୍ରବ୍ୟ ବ୍ୟତୀତ ଶସ୍ତା ହେଉଥିବା ବିଭିନ୍ନ ଔଷଧ, ଡେଣ୍ଡ୍ରାଇଟ୍ ଭଳି ସାମଗ୍ରୀକୁ ବି ନିଶା ପାଇଁ ବ୍ୟବହାର କରାଯାଉଛି। କିନ୍ତୁ ମଦ ପାଇଁ ନିଶା ମାଫିଆଙ୍କୁ କୌଣସି ଯୋଜନା ପ୍ରସ୍ତୁତ କରିବାକୁ ପଡୁନାହିଁ। ମଦ ବିକ୍ରି ପାଇଁ ସରକାରୀ ସ୍ତରରେ ଅନୁମତି ରହୁ ଥିବାରୁ ଏଥିରେ ସମସ୍ୟା ନାହିଁ। କିନ୍ତୁ ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ବଢାଇବାକୁ ନିଶା ମାଫିଆମାନେ ଯୋଜନାବଦ୍ଧ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗ୍ୟାଙ୍ଗ୍ ଗଢୁଛନ୍ତି। ଏବଂ ଏହି କାରବାର ବଢାଇବା ପାଇଁ ବିଭିନ୍ନ ସ୍କୁଲ୍, କଲେଜର ଛାତ୍ର ଏବଂ ଯୁବକମାନଙ୍କୁ ଏଥିରେ ପ୍ରଥମେ ଅଭ୍ୟସ୍ତ କରାଇବାର ବିପଜ୍ଜନକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଗଞ୍ଜେଇର ଚୋରା ଚାଲାଣ ଓଡ଼ିଶାର ଦକ୍ଷିଣାଞ୍ଚଳରୁ ହେଉଥିବା ବେଳେ ଏହା ଅପେକ୍ଷାକୃତ ଶସ୍ତା ହେଉଥିବାରୁ ଏହାର ସେବନକାରୀଙ୍କ ସଂଖ୍ୟା ଅଧିକ ହାରରେ ବଢୁଛି। ସ୍କୁଲ, କଲେଜ ଅଞ୍ଚଳରେ ରହୁଥିବା ବିଭିନ୍ନ ଦୋକାନରେ ସିଗାରେଟ୍ ଆକାରରେ ଏହା ସହଜରେ ମିଳୁଛି। କିନ୍ତୁ ଗଲା ୧୦ ବର୍ଷ ଭିତରେ ବ୍ରାଉନସୁଗାର ମୂଲ୍ୟ ଦୁଇ ଗୁଣରୁ ଅଧିକ ବଢିଥିବା ବେଳେ ଏବେ ଏହି ନିଶାସେବନକାରୀ ସମସ୍ୟାରେ ପଡୁଛନ୍ତି।
Comments are closed.