ନୁପୁର ଶର୍ମାଙ୍କ ଉପରେ ବର୍ଷିଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ଆଜି ସୁପ୍ରିମକୋର୍ଟର ଅବକାଶକାଳୀନ ବେଞ୍ଚ ତୀବ୍ର ସମାଲୋଚନା କରିଛନ୍ତି। ତାଙ୍କ ବୟାନ ପାଇଁ ପୂରା ଦେଶ ଜଳୁଛି ବୋଲି ସୁପ୍ରିମକୋର୍ଟର ଦୁଇ ଜଣିଆ ବେଞ୍ଚ କହିଛନ୍ତି।

ହେଲେ ନୂପୁର ଶର୍ମାଙ୍କ ବିରୋଧରେ ଖଣ୍ଡପୀଠ ଦେଇଥିବା ବୟାନକୁ ପ୍ରତ୍ୟାହାର କରିବାକୁ ଏବେ ଗୋଟିଏ ଆବେଦନ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ଖଣ୍ଡପୀଠରେ ନିଜକୁ ସାମାଜିକ କର୍ମୀ କହୁଥିବା ଅଜୟ ଗୌତମ ଆବେଦନ ଦାଖଲ କରିଛନ୍ତି। ଆବେଦନକୁ ପିଆଇଏଲ ଭାବେ ବିବେଚନା କରାଯାଉ ଓ ଖଣ୍ଡପୀଠ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଛନ୍ତି।

ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଏଫଆଇଆର ରୁଜୁ କରାଯାଇଛି। ତେବେ ସବୁ ଏଫଆଇଆର ଦିଲ୍ଲୀକୁ ସ୍ଥାନାନ୍ତର କରାଯାଉ ବୋଲି ଅନୁରୋଧ କରି ନୂପୁର ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି କରି ଆଜି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପରଡିୱାଲାଙ୍କ ଖଣ୍ଡପୀଠ କହିଛନ୍ତି ଯେ ନୂପୁର ଶର୍ମାଙ୍କ ବୟାନ ପାଇଁ ପୂରା ଦେଶରେ ନିଆଁ ଜଳୁଛି। ଦେଶରେ ଯାହା ଘଟୁଛି ସେଥିପାଇଁ ଏକାକୀ ନୂପୁର ଶର୍ମା ଦାୟୀ। ଶସ୍ତା ଲୋକ ପ୍ରିୟତା, ରାଜନୀତିକ ଏଜେଣ୍ଡା କିମ୍ବା ଅନ୍ୟ କୌଣସି ଘୃଣା ଭାବନା ପାଇଁ ସେ ଏପରି ବିବାଦୀୟ ବୟାନ ଦେଇଥିବା ଖଣ୍ଡପୀଠ କହିଥିଲେ। ଏଥିସହ ତାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ।

ତେବେ ସନ୍ଧ୍ୟାରେ ଅଜୟ ଗୌତମ ଖଣ୍ଡପୀଠ ଦେଇଥିବା ମତକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ସିଜେଆଇଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଖଣ୍ଡପୀଠ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର ହେଲେ ନୂପୁର ଶର୍ମା ନିରପେକ୍ଷ ଶୁଣାଣିର ସମ୍ମୁଖୀନ ହୋଇ ପାରିବେ ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି। ଏହାବାଦ ନୂପୁର ଶର୍ମାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

 

 

Comments are closed.