ନୂଆଖାଇ ଜୁହାର

ଭୁବନେଶ୍ୱର: ସାରା ଓଡ଼ିଶା ପାଳନ କରୁଛି ପବିତ୍ର ନୂଆଖାଇ ପର୍ବ । ଗାଁ ଠାରୁ ସହର ସବୁଠି ଚାଲିଛି ନୂଆଖାଇ ଭେଟଘାଟ । ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ । ତା’ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ । ଏହା ପୂର୍ବରୁ ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ସାରିଛି ପାହୁର ଭାର । ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା । ନୂଆଖାଇର ପୂର୍ବଦିନରେ ନିଆରା ପରମ୍ପରା ପାହୁର ଭାର ଅନୁଷ୍ଠିତ ହୋଇଥାଏ । ମାଆଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ । ଏହି ଭାରରେ ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମାଆଙ୍କ ଲାଗି ଚୁଡି, ଗହଣା, ଶାଢ଼ୀ ଆଉ ପନିପରିବା ଏଥିରେ ଥାଏ ।

ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର । ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମଧାମରେ ନୂଆ ଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ ଯିଏ ଯେଉଁଠି , ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଫେରିଛନ୍ତି ।

Comments are closed.