ମା ସାଜିଲା ରାକ୍ଷସୀ, ୬ ଛୁଆ ଙ୍କୁ କୂଅକୁ ଫିଙ୍ଗିଦେଲା

ମହାରାଷ୍ଟ୍ରର ରାୟଗଢ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯାହା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲାର ମହାଡ ତହସିଲରେ ରହୁଥିବା ଜଣେ ମହିଳା ନିଜ ୬ ଜଣ ଛୁଆକୁ କୂଅରେ ଫିଙ୍ଗିଦେଇଥିଲେ। ଆଉ କୂଅ ଭିତରେ ସମସ୍ତେ ଅଣନିଶ୍ୱାସୀ ହୋଇ ଜୀବନ ହାରିଛନ୍ତି। ରୁନା ନାମକ ଜଣେ ମହିଳା ନିଜ ସ୍ୱାମୀ ସହିତ ଝଗଡା କରି ଏପରି କାଣ୍ଡ କରିଛନ୍ତି। ସୋମବାର ରାତି ୮ଟା ସମୟରେ ୬ଟି ପିଲାଙ୍କୁ କୂଅକୁ ଧକ୍କା ମାରି ପକାଇଦେଇଛନ୍ତି। ଏହା ପରେ ନିଜେ କୂଅକୁ ଡେଇଁପଡିଥିଲେ।

ସୂଚନାଯୋଗ୍ୟ, ରୁନା ନାମକ ମହିଳାଙ୍କ ସ୍ୱାମୀ ସବୁବେଳେ ମଦ ପିଇ ତାଙ୍କୁ ମାରପିଟ୍‌ କରୁଥିଲେ। ସୋମବାର ରାତିରେ ସ୍ୱାମୀଙ୍କ ସହିତ ଝଗଡା ହୋଇଥିଲା। ଏହି ଝଗଡାରେ ରାଗିଯାଇ ନିଜର ୫ଟି ଝିଅ ଏବଂ ଗୋଟିଏ ପୁଅକୁ କୂଅରେ ଫିଙ୍ଗିଦେଇଥିଲେ ମହିଳା। ତା’ ପରେ ନିଜ କୂଅକୁ ଡେଇଁପଡିଥିଲେ। ରୁନା କୂଅ ପାଖରେ ଯାଉଥିବା ଦେଖି ଗାଁର ଜଣେ ଲୋକ ଚିତ୍କାର କରିଥିଲେ। ପରେ ଗାଁ ଲୋକ ତାଙ୍କ ପାଟି ଶୁଣି କୂଅ ନିକଟକୁ ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ ସତ କିନ୍ତୁ ପିଲାମାନେ ଅଣନିଶ୍ୱାସୀ ହୋଇ ମରିଯାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ପୋଲିସ, ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ମାମଲାର ଗମ୍ଭୀରତା ଦେଖି ରାୟଗଢ ପୋଲିସ ଅଧୀକ୍ଷକ ଅଶୋକ ଦୁଧେ ଏବଂ ଅତିରିକ୍ତ ପୋଲିସ ଅଧୀକ୍ଷକ ଅତୁଲ କୁମାର ଜେଣ୍ଡେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମାମଲାର ଯାଞ୍ଚ କରି ଏହାର ସଠିକ୍‌ କାରଣ ପତ୍ତା ଲଗାଇବା ପାଇଁ ଯାଞ୍ଚ ଆରମ୍ଭ କରିଛି।

Comments are closed.