୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ବର : ଚଳିତମାସ ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ। ୮ ଦିନିଆ ଏହି ସ୍ବଳ୍ପ ଅଧିବେଶନ କାଳରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅଧିବେଶନ ଶୃଙ୍ଖଳାର ସହ ପରିଚାଳନା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ବିଗତ ଦିନରେ ଘୋଷଣା ହୋଇଥିବା ‘ମୋ-ଘର’, ‘ସ୍କୁଟି’ ଓ ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଭଳି ଯୋଜନା ବିଧାନସଭାରେ ଆଲୋଚନା ପରିସରକୁ ଆସିପାରେ। ବିଧାନସଭାର ପ୍ରଥମ ଦିବସରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଚଳିତଥର ରାଜ୍ୟ ସରକାରଙ୍କ ପକ୍ଷରୁ ପଶ୍ଚିମ ଓଡ଼ିଶାର ଜଣେ ମହିଳାଙ୍କୁ ବାଚସ୍ପତି ଆସନରେ ବସାଇବା ପାଇଁ ଚର୍ଚ୍ଚା ହେଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିରୋଧୀ ଏହି ବିଧାନସଭା ଅଧିବେଶନରୁ କିଭଳି ଅଧିକ ଫାଇଦା ଉଠାଇ ପାରିବେ ତାକୁ ନେଇ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ବିଜେପି ଓ କଂଗ୍ରେସ ପକ୍ଷରୁ ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ନିଶାଣ କରାଯିବାକୁ ମନ୍ଥନ ଚାଲିଛି। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗ, ଶିକ୍ଷକ ଆନ୍ଦୋଳନ, ଚାଷ ଓ ଚାଷୀ, ଖଣି ଦୁର୍ନୀତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗ ଏଥର ବିଧାନସଭାରେ ଉଠିବ ବୋଲି ବିରୋଧୀ ଦଳ ପକ୍ଷରୁ ସୂଚନା ମିଳିଛି। ଶାସକଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି।
ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି। ଦିବାଲୋକରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି। ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସାମ୍ବିଧାନିକ ନୀତି ଅନୁସରଣ କରାଯାଉଛି। ମହିଳା ନିର୍ଯାତନା ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବୁ। ରାଜରାସ୍ତାରେ ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇପାରୁ ନାହାନ୍ତି। ସେ ସଂକ୍ରାନ୍ତରେ ସରକାରଙ୍କଠାରୁ କୈଫିୟତ ଲୋଡାଯିବ। ଗୃହରେ ବିରୋଧୀଦଳକୁ ଯେପରି କହିବାର ସୁଯୋଗ ମିଳିବ ଏବଂ ଉଚିତ୍ ସମ୍ମାନ ମିଳିବ ତାହା ଉପରେ ଗୁରୁତ୍ବ ଦିଆଯିବ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ନୂଆଁଖାଇ ପର୍ବରେ ବାଚସ୍ପତି ନିର୍ବାଚନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ବିରୋଧ କରାଯିବା ପରେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ଚାଷ ଓ ଚାଷୀ ପ୍ରସଙ୍ଗ ଗୃହରେ ଉତ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହେଉଥିବା ଅସାମ୍ବିଧାନିକ କାର୍ଯ୍ୟ ବାଚସ୍ପତିଙ୍କ ଦୃଷ୍ଟିକୁ ଅଣାଯିବ।
Comments are closed.