କେଜ୍ରିୱାଲଙ୍କୁ ନେଇ ଏମିତି କହିଲେ ମନୀଷ
ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଚଢାଉ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିବାଦରେ ଥିବା ନୂତନ ଅବକାରୀ ନୀତିକୁ ସେ ବେଷ୍ଟ ପଲିସି କହିଛନ୍ତି। ଏହି ନୀତି ସଚ୍ଚୋଟତାର ସହ ଲାଗୁ କରାଯାଇଛି। ମାତ୍ର ଉପ ରାଜ୍ୟପାଳ ଏଥିରେ ହସ୍ତକ୍ଷେପ କରି ପରିବର୍ତ୍ତନ କରିଛନ୍ତି। କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଏବଂ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ରୋକିବା ପାଇଁ ମୋ ବାସଭବନ ଉପରେ ଚଢାଉ କରିଛନ୍ତି। ଯିଏ ଭଲ କାମ କରୁଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ରୋକିବାକୁ ଚାହୁଁଛନ୍ତି। ଏପରିକି ଆଗାମୀ ଦୁଇ ଚାରି ଦିନରେ ମୋତେ ଗିରଫ କରାଯିବ ବୋଲି ଦାବି କରିଛନ୍ତି ମନୀଷ ସିସୋଦିଆ।
ସେ କହିଛନ୍ତି, ଆମେରିକାର ସବୁଠୁ ବଡ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ଗତକାଲି ପ୍ରଥମ ପୃଷ୍ଠାରେ ଦିଲ୍ଲୀର ଶିକ୍ଷା ମୋଡେଲ ଖବର ଛପା ଯାଇଥିଲା। ଏହା ଭାରତ ପାଇଁ ଗର୍ବର ବିଷୟ। ପ୍ରାୟ ଦେଢ ବର୍ଷ ପୂର୍ବେ ଉକ୍ତ ଖବର କାଗଜ ତରଫରୁ ଆଉ ଏକ ଖବର ମଧ୍ୟ ପ୍ରକାଶ ପାଇଥିଲା। ଏହି ଖବରରେ ଗଙ୍ଗା ନିକଟରେ ହଜାର ସଂଖ୍ୟକ ଶବ ବିଷୟରେ ଉଲ୍ଲେଖ ରହିଥିଲା। ଆପଣ ଜାଣି ପାରୁଥିବେ କିଏ ଭଲ କାମ କରୁଛି। ମୁଁ ଦୁର୍ନୀତିରେ ଲିପ୍ତ ନୁହେଁ। ମୋର ଗୋଟିଏ ଭୁଲ୍ ମୁଁ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ଅଛି। କେଜ୍ରିଓ୍ଵାଲଙ୍କୁ ରୋକିବା ପାଇଁ ଷଡଯନ୍ତ୍ର ଆଧାରରେ ମୋ ବାସଭବନ ଉପରେ ଚଢାଉ କରାଯାଇଛି। କେଜ୍ରିଓ୍ଵାଲଙ୍କ ସପକ୍ଷରେ ସମଗ୍ର ଦେଶରେ ମାହୋଲ ସୃଷ୍ଟି ହେଉଥିବା ସିସୋଦିଆ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମଦ କିମ୍ବା ଅବକାରୀ ନୀତିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ନୁହନ୍ତି। ବିଜେପିର ଚିନ୍ତାର କାରଣ କେଜ୍ରିଓ୍ଵାଲ ଏବଂ ତାଙ୍କର ବଢୁଥିବା ଲୋକପ୍ରିୟତା। ଯଦି ମଦ ଏକ ପ୍ରସଙ୍ଗ ତେବେ ସିବିଆଇ ଏବଂ ଇଡି ଗୁଜରାଟ କାହିଁକି ଯାଉନି। ସେଠାରେ ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ଚୋରି ହେଉଛି। ଯଦି ସେମାନଙ୍କୁ ବାସ୍ତବରେ ଅବକାରୀରେ ଟ୍ୟାକ୍ସ ଚୋରିକୁ ନେଇ ଚିନ୍ତା ଥାଆନ୍ତା ତେବେ ଆଜି ସିବିଆଇର ମୁଖ୍ୟାଳୟ ଗୁଜରାଟ ସ୍ଥାନାନ୍ତର ହୋଇ ଯାଆନ୍ତା। ସିବିଆଇକୁ ଆଦେଶ ଦେଉଥିବା ଲୋକେ ଗୁଜରାଟରେ ଅବକାରୀର ଟ୍ୟାକ୍ସ ଚୋରି କରୁଛନ୍ତି ବୋଲି ସିସୋଦିଆ କହିଛନ୍ତି।
Comments are closed.