୧୨ ବିଦ୍ରୋହୀ ସାଂସଦଙ୍କୁ y+ ସୁରକ୍ଷା

ମୁମ୍ବାଇ: ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା। ଗତକାଲି ରାତିରେ ଏହି ୧୨ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଏହାପରେ ଏମାନଙ୍କୁ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଏହା ପୂର୍ବରୁ ଶିବସେନାର ଏହି ୧୨ ସାଂସଦ ଗତକାଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ରାହୁଲ ଶେୱାଲେଙ୍କୁ ଜଣେ ନେତା ଭାବରେ ସ୍ୱୀକୃତି ଦେବାକୁ କହିଥିଲେ। ତେବେ ବାଚସ୍ପତି ତାଙ୍କ ଚିଠି ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନଥିବା ସୂଚନା ମିଳିଛି ।

୧୨ ଜଣ ସାଂସଦଙ୍କ ମୁତାବକ, ଦଳର ମୁଖ୍ୟ ସଚେତକ ହେଉଛନ୍ତି ଭବାନା ଗାୱଲି କାରଣ ରାଜନ ବିଚାରେଙ୍କୁ ମୁଖ୍ୟ ସଚେତକ ଭାବେ ବଦଳାଇବା ଆବେଦନ ଉପରେ ବାଚସ୍ପତି କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ସେପଟେ, ନିର୍ବାଚନ କମିଶନ ଶିବସେନାର ନିର୍ବାଚନ ପ୍ରତୀକ ଧନୁତୀର ଉପରେ ବାଚସ୍ପତିଙ୍କ ନିଷ୍ପତ୍ତି ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛି।

ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର ଶିବସେନା ସୋମବାର ସନ୍ଧ୍ୟାରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖିଥିଲେ। ଏଥିରେ ଆବେଦନ କରିଥିଲେ ଯେ, ବିନୟ ରାଉତଙ୍କୁ ତାଙ୍କ ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତ କରାଯାଇଛି। ଦଳ ତାଙ୍କୁ ଦଳରୁ ଦୂରେଇ ଯାଇଥିବା କୌଣସି ପ୍ରତିନିଧିତ୍ୱକୁ ବିଚାର ନକରିବାକୁ ଅନୁରୋଧ କରିଛି। ସେପଟେ ଶିବସେନା ସଂସଦୀୟ ଦଳର ନେତା ସଞ୍ଜୟ ରାଉତ ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ରାଜନଙ୍କୁ ମୁଖ୍ୟ ସଚେତକ କରିବାକୁ ସ୍ପଷ୍ଟ କରାଯାଇଛି।

Comments are closed.