ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ ଏକନାଥ

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ରେ ସ‌ିନ୍ଦେ ଗୋଷ୍ଠୀ ୧୬୪ ଭୋଟ୍‌ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍‌ ମିଳିଛି।

ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସଂଖ୍ୟାଗରିଷ୍ଠତା (ଫ୍ଲୋର୍‌ ଟେଷ୍ଟ୍‌) ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ।

ସେପଟେ, ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଆଉ ଜଣେ ‘ଶିବସେନା’ ବିଧାୟକ ‌ସନ୍ତୋଷ ବାଙ୍ଗର୍‌ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ଗହଣରେ ଉପସ୍ଥିତ ଥିବା ଆଜି ସକାଳେ ଦେଖାଯାଇଥିଲା। ସିନ୍ଦେ ଗୋଷ୍ଠୀର ବିଧାୟକମାନଙ୍କ ସହ ହୋଟେଲ୍‌ରୁ ବାହାରି ସେ ବିଧାନସଭାରେ ପହଞ୍ଚିଥିଲେ।

ସେପଟେ, ଜେଲ୍‌ରେ ଥିବାରୁ ଆଜିର ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ଏନ୍‌ସିପି’ ବିଧାୟକ ନବାବ ମଲ୍ଲିକ ଏବଂ ଅନୀଲ ଦେଶମୁଖ ଭୋଟ୍‌ ଦେଇ ପାରିନାହାନ୍ତି।

ତେଣେ, ଏନ୍‌ସିପି ମୁଖ୍ୟ ଶରଦ ପାୱାର୍‌ କହିଛନ୍ତି ଯେ, ଆସନ୍ତା ୬ ମାସ ମଧ୍ୟରେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସରକାର ଭାଙ୍ଗିଯିବାର ସମ୍ଭାବନା ଥିବାରୁ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର୍‌ କହିଛନ୍ତି।

ଶିବସେନା’ ସାଂସଦ ସଞ୍ଜୟ ରାଉତ ମଧ୍ୟ କହିଛନ୍ତି, ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ‘ଶିବସେନା’କୁ ଭଙ୍ଗାଯାଇଛି। ଏବେ ସେମାନେ କ୍ଷମତା ହାସଲ କରିନେଲେ ସିନା, କିନ୍ତୁ ‘ଶିବସେନା’ ବିନା ସେମାନେ କ୍ଷମତାକୁ ଆସିବେ କେମିତି? କେନ୍ଦ୍ରୀୟ ଏଜେନ୍‌ସି ଚାପରେ ପଡ଼ି ରାଜ୍ୟରେ କାମଚଳା ବ୍ୟବସ୍ଥା କରାଯାଇଛି। ନଚେତ ସେମାନଙ୍କୁ ଏତେ ସୁରକ୍ଷା ଯୋଗାଇ ଦିଆଯାଇଛି କାହିଁକି? ସେମାନଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ଠିକ୍‌ ଆଜ୍‌ମଲ୍‌ କସବଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ଭଳି।

ପ୍ରାପ୍ତ ସୂଚନା ଅନୁସାରେ, ‘ଏନ୍‌ସିପି’ ନେତା ଅଜିତ ପାୱାର୍‌ ମହାରା‌ଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନୂଆ ନେତା ହୋଇପାରନ୍ତି।

Comments are closed.