ଆଜି ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଲଳିତ

ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଉଦୟ ଉମେଶ ଲଳିତଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିବେ।
ମହାରାଷ୍ଟ୍ରର ଲଳିତ ପରିବାରକୁ ୧୦୨ ବର୍ଷରୁ ଅଧିକ ହେଲାଣି। ଭାରତ ସ୍ବାଧୀନ ହେବାର ବହୁ ଆଗରୁ ଉଦୟ ଉମେଶ ଲଳିତଙ୍କ ଜେଜେ ସୋଲାପୁରରେ ଓକିଲାତି କରୁଥିଲେ।

ତାଙ୍କ ପରିବାରର ତିନି ପିଢ଼ିଙ୍କ ମଧ୍ୟରେ ଅଛନ୍ତି ୯୦ ବର୍ଷିୟ ବାପା ଉମେଶ ରଙ୍ଗନାଥ ଲଳିତ। ନିଜ ରାଜ୍ୟରେ ଦୀର୍ଘ ଦିନ ଧରି ଓକିଲାତି କରିବା ପରେ ସେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

ବାପାଙ୍କ ଛଡ଼ା, ନଇଡ଼ାରେ ସ୍କୁଲ୍‌ ଚଳାଉଥିବା ବିଚାରପତି ଲଳିତଙ୍କ ପତ୍ନୀ ଅମିତା ଲଳିତ ଏବଂ ସେମାନଙ୍କର ଦୁଇ ପୁଅ ହର୍ଷଦ ଏବଂ ଶ୍ରୀୟାସ୍‌ ମଧ୍ୟ ଆଜିର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ଦୁଇ ପୁଅ ଇଞ୍ଜିନିୟରିଙ୍ଗ୍‌ ପଢ଼ି ଥିଲେ ବି ପରେ ଶ୍ରୀୟାସ୍‌ ଲଳିତ ଆଇନ୍‌ କ୍ଷେତ୍ରକୁ ଚାଲି ଆସିଛନ୍ତି। ତାଙ୍କ ପତ୍ନୀ ରବୀନା ମଧ୍ୟ ଜଣେ ଓକିଲ। ହର୍ଷଦ ଲଳିତ ଜଣେ ଗବେଷକ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସେ ପତ୍ନୀ ରାଧିକାଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକାରେ ବାସ କରୁଛନ୍ତି।

ପରିବାରରେ ଆଇନ ବୃତ୍ତି ଥିଲେ ମଧ୍ୟ ୟୁ. ୟୁ. ଲଳିତଙ୍କୁ ତ୍ବରିତ ସଫଳତା ମିଳି ନ ଥିଲା। ବମ୍ବେ ହାଇକୋର୍ଟରୁ ଓକିଲାତି ଛାଡ଼ି ୧୯୮୦ ଦଶକରେ ସେ ପ୍ରଥମେ ଦିଲ୍ଲୀ ଆସିବା ପରେ ମୟୂର ବିହାରରେ ଶ୍ରମଜୀବୀମାନେ ରହୁଥିବା ଅଞ୍ଚଳରେ ଗୋଟିଏ ୨ ବଖରିଆ ଫ୍ଲାଟ୍‌ରେ ରହିଲେ।

Comments are closed.