କାଲି ହେବ କେକେଙ୍କ ଅନ୍ତିମ ସଂସ୍କାର
ଲୋକପ୍ରିୟ ଗାୟକ କେକେଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ତାଙ୍କର ଏମିତି ଅଚାନକ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସମେତ ଲକ୍ଷ ଲକ୍ଷ ଫ୍ୟାନ୍ ବି ସ୍ତବ୍ଧ ହୋଇଯାଇଛନ୍ତି। କେକେଙ୍କ ମୃତ୍ୟୁର କାରଣ ହାର୍ଟ ଆଟାକ୍ ବୋଲି କୁହାଯାଉଛି। କାଲି ରାତିରେ କୋଲକାତାରେ ଏକ କନ୍ସର୍ଟରେ ପାଖାପାଖି ୧ ଘଣ୍ଟା ଯାଏଁ ଗୀତ ଗାଇବା ପରେ କେକେ ହୋଟେଲରେ ପହଞ୍ଚିବା ପରେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ପରେ ତାଙ୍କୁ କୋଲକାତାର ସିଏମ୍ଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ସିଙ୍ଗର କେକେଙ୍କ ପାର୍ଥିବ ଶରୀରକୁ ପୋଷ୍ଟମର୍ଟମ୍ ପରେ କୋଲକାତା ବିମାନ ବନ୍ଦର ନିଆଯାଇଛି। ତାଙ୍କ ପାର୍ଥିବ ଶରୀର ଏୟାର ଇଣ୍ଡିଆର AI 773 ଫ୍ଲାଇଟ୍ ଯୋଗେ ସନ୍ଧ୍ୟା ୫.୧୫ରେ ଉଡ଼ାଣ ଭରିଛି ଓ ଏହା ୮.୧୫ରେ ମୁମ୍ବାଇରେ ଲ୍ୟାଣ୍ଡ୍ କରିବ। କେକେଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ବର୍ସୋବା ସ୍ଥିତ କମ୍ପ୍ଲେକ୍ସ ହଲ୍ରେ ରଖାଯିବ। ସେଠାରେ କାଲି ସକାଳେ ୯ଟା ପରେ ବର୍ସୋବା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ। କେକେଙ୍କ ଅନ୍ତିମ ଯାତ୍ରାରେ ମ୍ୟୁଜିକ ଇଣ୍ଡଷ୍ଟ୍ରୀ ଓ ବଲିଉଡ୍ର ବହୁ ବଡ଼ ବଡ଼ ବରିଷ୍ଠ କଳାକାର ସାମିଲ ହୋଇପାରନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ରାଜନେତା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦି ଟ୍ୱିଟ କରି କହିଛନ୍ତି, କେକେ ଜଣେ ଭଲ ଗାୟକ ଥିଲେ। ସେ ପ୍ରତ୍ୟେକ ବର୍ଗର ଲୋକଙ୍କ ମନକୁ ଛୁଇଁଲା ଭଳି ଗୀତ ଗାଇଛନ୍ତି, ଅନେକ ଭାଷାରେ ଗୀତ ଗାଇ ସେ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି। ତାଙ୍କ ଅକାଳ ମୃତ୍ୟୁ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେହିପରି ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ମ୍ୟୁଜିକ ଡାଇରେକ୍ଟର ଭିଶାଲ ପ୍ରମୁଖ ସହଯୋଗୀଙ୍କୁ ହରାଇ ଶୋକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ କେକେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି। ତାଙ୍କ ସୁପରହିଟ ଗୀତ ମଧ୍ୟରେ ଦିଲ ଇବାଦତ, ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି, ଜରା ସି ଦିଲ ମେ, ଖୁଦା ଜାନେ କି ମେ ଫିଦା ଆଦି ରହିଛି।
Comments are closed.