ଝାଡ଼ଖଣ୍ଡ ରାଜନୀତି ପୁଣି ସରଗରମ,ଜାଣନ୍ତୁ କାହିଁକି
ରାଞ୍ଚି : କିଛିଦିନ ପାଇଁ ଥମି ଯାଇଥିବା ଏହି ପ୍ରସଙ୍ଗରେ ରାଜ୍ୟପାଳ ଟିପ୍ପଣୀ ଦେବାପରେ ପୁଣି ରାଜନୀତି ସରଗରମ ହୋଇଛି। ରାୟପୁରରେ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ ରାଜ୍ୟପାଳ ବୈଶ କହିଛନ୍ତି, ନିର୍ବାଚନ କମିସନଙ୍କଠାରୁ ସେ ଏହି ପ୍ରସଙ୍ଗରେ ଦ୍ବିତୀୟ ଥର ମତ ମାଗିଛନ୍ତି। ନିର୍ବାଚନ କମିସନଙ୍କ ମତ ମିଳିବା ପରେ ସାମ୍ବିଧାନିକ ଅଧିକାର ମଧ୍ୟରେ କି ପ୍ରକାର ପଦକ୍ଷେପ ନିଆଯାଇ ପାରିବ ସେ ନେଇ ଚିନ୍ତା କରିବେ। ଦିଲ୍ଲୀରେ ବାଣ ନିଷିଦ୍ଧ ହୋଇଛି, ଝାଡ଼ଖଣ୍ଡରେ ନୁହେଁ। ତେଣୁ ଝାଡ଼ଖଣ୍ଡରେ ଆଣବିକ ବୋମା ବିସ୍ଫୋରଣ ହୋଇପାରିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ହେମନ୍ତ ସୋରେନ ତାଙ୍କ ନାମରେ ଏକ ପଥର ଖାଦାନ ଲିଜ୍ ନେଇଥିଲେ। ଏ ପ୍ରସଙ୍ଗରେ ବିଜେପି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା। ଏହା ଲାଭଜନକ ପଦବି ନିୟମ ଏବଂ ଲୋକ ପ୍ରତିନିଧି ଆଇନର ଉଲ୍ଲଂଘନ କରୁଛି ବୋଲି ବିଜେପି କହିଥିଲା। ଏଥିସହିତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ଦାବି କରିଥିଲା। ଏହା ପରେ ରାଜ୍ୟପାଳ ଉକ୍ତ ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ମତ ଲୋଡ଼ିଥିଲେ। ସବୁ ଦଳର ମତାମତ ଶୁଣିବା ପରେ ନିର୍ବାଚନ କମିସନ ତାଙ୍କର ନିଷ୍ପତ୍ତି ରାଜ୍ୟପାଳଙ୍କ ନିକଟକୁ ଗତ ଅଗଷ୍ଟ ୨୫ରେ ପଠାଇଥିଲେ। ତେବେ ରାଜ୍ୟପାଳ ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏବେ ରାଜ୍ୟପାଳ ଦ୍ବିତୀୟ ଥର ପାଇଁ ନିର୍ବାଚନ କମିସନଙ୍କ ମତାମତ ଲୋଡ଼ିଛନ୍ତି। ସାମ୍ବିଧାନିକ ପଦରେ ଥିବାରୁ ନିୟମକୁ ସେ ଅନୁସରଣ କରୁଛନ୍ତି।
Comments are closed.