ଜଣେ ଚଷା ପୁଅ ଆଜି ଦେଶର ଉପ ରାଷ୍ଟ୍ରପତି

ଆଜି ଅର୍ଥାତ ଅଗଷ୍ଟ ୬ ତାରିଖ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜଗଦୀପ ଧନଖଡ଼ । ପୂର୍ବରୁ ପଶ୍ଚିମ ବଙ୍ଗର ରାଜ୍ୟପାଳ ଥିବା ଶ୍ରୀଯୁକ୍ତ ଧନଖଡ଼ ୫୨୮ ଖଣ୍ଡ ଭୋଟ ପାଇ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି | ଜନତା ଦଳ ଟିକେଟରେ ଲୋକସଭା ନିର୍ବାଚନ ଲଢିବା ଠାରୁ ପଶ୍ଚିମବଙ୍ଗର ରାଜ୍ୟପାଳ ପଦରେ କାର୍ଯ୍ୟ କରିବା ପର୍ଯ୍ୟନ୍ତ ଲମ୍ବା ରାଜନୈତିକ କ୍ୟାରିଅର ଦେଇ ଗତି କରିଛନ୍ତି ଶ୍ରୀଯୁକ୍ତ ଧନଖଡ । ୧୯୫୧ ମେ ୧୮ ତାରିଖରେ ରାଜସ୍ଥାନର ଝୁଞ୍ଝୁନୁ ଜିଲ୍ଲାର କିଠାନା ଗାଁରେ ଏକ ଗରିବ ଜାଠ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଯେତେବେଳେ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାଁ ଘୋଷଣା ହୋଇଥିଲା ନିଜକୁ ଚଷା ପୁଅ ବୋଲି କହିଥିଲେ ଧନଖଡ଼ । ବାଲ୍ୟକାଳରେ ଚିତ୍ତୋଗଡ଼ ସୈନିକ ସ୍କୁଲରେ ଶିକ୍ଷାଲାଭ ପରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ କରିଥିଲେ । ପରେ ଏଲଏଲବି ପାଠପଢା ଶେଷ କରି ରାଜସ୍ଥାନ ହାଇକୋର୍ଟରେ ଓକିଲ ଭାବେ ପେଶା ଆପଣାଇଥିଲେ।

ରାଜସ୍ଥାନରେ ଜାଠଙ୍କୁ ସଂରକ୍ଷଣ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜଗଦୀପ ଧନଖଡ଼ । ଏହା ତାଙ୍କ ରାଜନୈତିକ ଜୀବନକୁ ସୁଦୃଢ କରିଥିଲା । ୧୯୮୯ରେ ଝୁଞ୍ଝୁନୁ ଲୋକସଭା ଆସନରୁ ଜନତା ଦଳ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ୧୯୯୧ରେ ଟିକେଟ ନମିଳିବାରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୯୩ରେ କଂଗ୍ରେସ ଟିକେଟରେ ଆଜମେରର କିଶନଗଡ଼ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୩ରେ ବିଜେପିରେ ସାମିଲ ହୋଇଥିଲେ ଧନଖଡ଼ । ୨୦୧୯ ଜୁଲାଇ ୩୦ ତାରିଖରେ ପଶ୍ଚିମବଙ୍ଗର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ରାଜ୍ୟପାଳ ଥିବା ବେଳେ କ୍ଷମତାସୀନ ଟିଏମସି ସରକାର ସହ ବିବାଦ ନେଇ ସବୁବେଳେ ଚର୍ଚ୍ଚାରେ ଥିଲେ ଜଗଦୀପ ଧନଖଡ଼। ୫୦ବର୍ଷ ଧରି ରାଜନୀତିରେ ସକ୍ରିୟ ଅଛନ୍ତି ଧନଖଡ଼।

Comments are closed.