ଭାରତକୁ ମିଳିବ ଘାତକ ଡ୍ରୋନ୍‌ : ଆମେରିକୀୟ କମ୍ପାନୀ ସହିତ ୩୨ ହଜାର କୋଟିର ଚୁକ୍ତି

0

ଭାରତ ଖୁବଶୀଘ୍ର ବିଶ୍ବର ସବୁଠାରୁ ଘାତକ ଡ୍ରୋନ କୁହାଯାଉଥିବା ପ୍ରିଡେଟର (ଏମକ୍ୟୁ୯ବି ) ଡ୍ରୋନ୍ ହାସଲ କରିବାକୁ ଯାଉଛି। ଏ ନେଇ ଭାରତ ସରକାର ଆମେରିକୀୟ କମ୍ପାନୀ ଜେନେରାଲ ଆଟମିକ୍ ସହିତ ବୁଝାମଣା ଚୂଡ଼ାନ୍ତ କରିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ବାଡ୍‌ ବୈଠକରେ ଯୋଗ ଦେବା ଲାଗି ଆମେରିକା ଗସ୍ତ କରିଥିଲା ବେଳେ ଏହି ସମୟରେ ଏହି ଶ୍ରେଣୀର ଡ୍ରୋନ ଯୋଗାଇ ଦେବା ଲାଗି ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଆଲୋଚନା କରିଥିଲେ। ତେବେ ବର୍ତ୍ତମାନ ଏହି ଚୁକ୍ତି ଚୂଡ଼ାନ୍ତ ହେବା ସହିତ ଭାରତକୁ ଖୁବଶୀଘ୍ର ଡ୍ରୋନ ମିଳିବ ବୋଲି କୁହାଯାଇଛି।

ରିପୋର୍ଟ ଅନଯାୟୀ, ୩.୯୯ ବିଲିୟନ ଡଲାର ବା ପ୍ରାୟ ୩୨ ହଜାର କୋଟି ଟଙ୍କାର ହୋଇଥିବା ଏହି ଚୁକ୍ତିରେ ଭାରତକୁ ୩୧ଟି ଏମକ୍ୟୁ-୯ବି ରିମୋଟ୍ ପାଇଲଟ୍ ଏୟାରକ୍ରାଫ୍ଟ (ଆରପିଏ) ଏବଂ ଆନୁଷଙ୍ଗିକ ଉପକରଣ ମିଳିବ। ଏହା ଏମକ୍ୟୁ୯ବି ଡ୍ରୋନର ଏକ ଉନ୍ନତ ସଂସ୍କରଣ । ଏହି ପ୍ରିଡେଟର ଡ୍ରୋନର ଭିନ୍ନ ଭିନ୍ନ ସଂସ୍କରଣ ରହିଛି ଏବଂ ଏଗୁଡିକୁ ଏମ୍କ୍ୟୁ-୯ ରିପର, ସି ଗାର୍ଡିଆନ୍ ଏବଂ ସ୍କାଏ ଗାର୍ଡିଆନ୍ ଆଦି ନାମରେ ପରିଚିତ। କିନ୍ତୁ ଭାରତ ଆମେରିକା ଠାରୁ ୩୧ଟି ଏମ୍କ୍ୟୁ-୯ ରିପର ଡ୍ରୋନ୍ ଅର୍ଥାତ୍ ପ୍ରିଡେଟର ଡ୍ରୋନ୍ କିଣିବ। ଏହାଦ୍ବାରା ଶତ୍ରୁ ବିପକ୍ଷରେ ଭାରତର ସାମରିକ ସାମର୍ଥ୍ୟ ବୃଦ୍ଧି ପାଇବ। ଏହି ୩୧ଟି ଡ୍ରୋନ ମଧ୍ୟରୁ ୧୫ଟି ଡ୍ରୋନ ଭାରତୀୟ ନୌସେନାକୁ ଦିଆଯିବ ଏବଂ ବାକି ଡ୍ରୋନ ବାୟୁସେନା ଏବଂ ସ୍ଥଳ ସେନାକୁ ଦିଆଯିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନରେ ଅଲ-କାଏଦା ବିରୋଧରେ ଆମେରିକା ଆରମ୍ଭ କରିଥିବା ଅପରେସନରେ ଏହି ପ୍ରିଡେଟର ଡ୍ରୋନ ସବୁଠାରୁ ବଡ ଭୂମିକା ଗ୍ରହଣ କରିଥିଲା । ହଜାର ହଜାର କିଲୋମିଟର ଦୂରରେ ଥାଇ ମଧ୍ୟ ଆମେରିକୀୟ ସେନା ଯେକୌଣସି ଟାର୍ଗେଟ ଉପରେ ନଜର ରଖିବା ସହିତ ସେମାନଙ୍କ ନିଶାଣକୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହୋଇଥିଲେ। ଏବେ ଭାରତୀୟ ସେନା ମଧ୍ୟ ଦୁଇ ପରମ ଶତ୍ରୁ ଚୀନ ଏବଂ ପାକିସ୍ତାନ ବିରୋଧରେ ଏହି ଡ୍ରୋନ ଉପଯୋଗ କରି ପାରିବ ବୋଲି କୁହାଯାଇଛି।

Leave A Reply

Your email address will not be published.