ଆଜି ଭାରତ ଅଷ୍ଟ୍ରେଲିଆ ମୁହାଁମୁହିଁ

ମୋହାଲି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି। ଉକ୍ତ ଶୃଙ୍ଖଳାରୁ ଉଭୟ ଦଳ ଖେଳାଳି ପରୀକ୍ଷାନିରୀକ୍ଷା ସହ ସନ୍ତୁଳିତ ଦଳ ଗଠନ ନେଇ ଲକ୍ଷ୍ୟ ରଖିଛନ୍ତି। ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପ୍ରଥମ ଦୁଇ ଦିନିକିଆରୁ ବିଶ୍ରାମ ଦେଇଛି। ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ଲୋକେଶ ରାହୁଲ ଦଳର ନେତୃତ୍ବ ନେବେ। ବ୍ୟାଟିଂରେ ଶୁବମାନ୍‌ ଗିଲ୍‌ଙ୍କ ସହ ଈଶାନ କିଷନ ଓପନିଂ କରିବାର ସମ୍ଭାବନା ରହିଛି। ବିରାଟ କୋହଲିଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ୩ ନମ୍ବରରେ, ଲୋକେଶ ରାହୁଲ ୪ର୍ଥ ନମ୍ବରରେ ବ୍ୟାଟିଂ କରିପାରନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଶ୍ରେୟାସ ଆୟାର ଦଳକୁ ଫେରିଛନ୍ତି। ଆୟର ୫ମ ସ୍ଥାନରେ ବ୍ୟାଟିଂ କରିବାର ଆଶା କରାଯାଉଛି। ଦଳ ମୁଖ୍ୟତଃ ୫ଜଣ ସ୍ପେଶାଲିଷ୍ଟ ବ୍ୟାଟ୍‌ସମ୍ୟାନଙ୍କୁ ନେଇ ଖେଳିବାର ଆଶା କରାଯାଉଛି। ଅଲରାଉଣ୍ଡର ଭାବେ ଭାରତ ରବୀନ୍ଦ୍ର ଜାଡେଜା, ରବୀଚନ୍ଦ୍ରନ ଅଶ୍ବିନ ଓ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇପାରେ। ଉକ୍ତ ୩ ଖେଳାଳି ସ୍ପିନ ଅଲରାଉଣ୍ଡର ଭା‌େ‌ବ ମ୍ୟାଚ ଖେଳିପାରନ୍ତି। କାରଣ ଆଗକୁ ବିଶ୍ବକପ ଥିବାରୁ ଅଶ୍ବିନ ଓ ୱାଶିଂଟନଙ୍କ ପ୍ରଦର୍ଶନ ଉପରେ ବିସିସିଆଇ ନଜର ରଖିଛି । ମୁଖ୍ୟତଃ ଉକ୍ତ ଶୃଙ୍ଖଳାରେ ଭାରତର ମଧ୍ୟକ୍ରମ ବ୍ୟାଟିଂ ଉପରେ ନଜର ରହିବ। ବୋଲିଂରେ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍‌ରା ଓ ସାର୍ଦୁଳ ଠାକୁର ଖେଳିବା ନେଇ ଆଶା କରାଯାଉଛି। ଗତ ଏସିଆ କପ୍‌ରେ ସିରାଜ୍‌ ଓ ବୁମ୍‌ରା ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି। ଏବେ ମହମ୍ମଦ ସାମି ଓ ସାର୍ଦୁଳ ଠାକୁରଙ୍କୁ ବିଶ୍ବକପ ଲାଗି ପ୍ରସ୍ତୁତି କରିବାକୁ ପଡିବ। ଅନ୍ୟପକ୍ଷରେ ଅକ୍ଷର ପଟେଲଙ୍କ ବିଶ୍ବକପ ଖେଳିବା ନେଇ ଆଶଙ୍କା ରହିଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଅଶ୍ବିନ ଓ ୱାଶିଂଟନଙ୍କ ପାଇଁ ବଡ ସୁଯୋଗ। କାରଣ ଉକ୍ତ ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ବକପ ଦଳରେ ସ୍ଥାନ ମିଳିବା ନେଇ ଆଶା କରାଯାଉଛି।

ସେହିପରି ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ମଧ୍ୟ ବିଶ୍ବକପ ପ୍ରସ୍ତୁତି ନେଇ ଭାରତ ବିପକ୍ଷ ଶୃଙ୍ଖଳାରେ ପରୀକ୍ଷାନିରୀକ୍ଷା କରିବ। ବ୍ୟାଟିଂ ବିଭାଗରେ ମାର୍ନୁସ ଲାବୁସାନେ, ଷ୍ଟିଭ୍‌ ସ୍ମିଥ୍‌,ଡେଭିଡ୍‌ ୱାର୍ଣ୍ଣର ପ୍ରମୁଖ ରହିଛନ୍ତି। ବୋଲିଂ ବିଭାଗରେ କମିନ୍‌ସ, ସେନ୍ ଆବର୍ଟ, ଆଡାମ ଜାମ୍ପା, ଜୋଶ ହାଜେଲଉଡ୍‌ ପ୍ରମୁଖ ରହିଛନ୍ତି। କାମେରୁନ୍‌ ଗ୍ରୀନ ଓ ମିଚେଲ ମାର୍ଶଙ୍କ ଭଳି ଅଲରାଉଣ୍ଡର ରହିଛନ୍ତି। ଦଳର ତାରକା ବୋଲର ମିଚେଲ ଷ୍ଟାର୍କ ଓ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ପ୍ରଥମ ଦିନିକିଆ ଖେଳିବେ ନାହିଁ। ଷ୍ଟାର୍କ ଓ ମ୍ୟାକ୍ସୱେଲ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ପ୍ରଥମ ଦିନିକିଆ ଖେଳିବେ ନାହିଁ। ଅଧିନାୟକ ପ୍ୟାଟ୍‌ସ କମିନ୍‌ସ କହିଛନ୍ତି ଯେ, ଭାରତ ବିପକ୍ଷ ଶୃଙ୍ଖଳାରେ ବିଶ୍ବକପ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ଖେଳିବା ନେଇ ଆମେ ଲକ୍ଷ୍ୟ ରଖିଛୁ। ଷ୍ଟାର୍କ ଓ ମ୍ୟାକ୍ସୱେଲ ପ୍ରଥମ ଦିନିକିଆ ଖେଳିବେ ନାହିଁ। ଆଶା କରୁଛି ଦ୍ବିତୀୟ ଦିନିକିଆ ବେଳକୁ ସୁସ୍ଥ ହୋଇଯାଇଥିବେ ବୋଲି କମିନ୍‌ସ କହିଛନ୍ତି।

Comments are closed.