ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଇ ୧୮ ପିଲା ଅସୁସ୍ଥ

ଛତିଶଗଡ଼ର ବିଳାସପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଇ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ଛୋଟ ପିଲା ରହିଛନ୍ତି। ଅସୁସ୍ଥ ପିଲାମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ରବିବାର ଗାଁର କିଛି ଲୋକ ବଜାରରେ ଲାଗିଥିବା ଠେଲା ଗାଡ଼ି ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଇଥିଲେ। ଏହାକୁ ଖାଇବା ପରେ ପରଦିନ ସକାଳେ କେତେଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା। ମୁଖ୍ୟତଃ ପିଲାମାନଙ୍କର ବାନ୍ତି ହେବା ସହିତ ପେଟ ଯନ୍ତ୍ରଣା ହୋଇଥିଲା।

ଅଧିକାରୀମାନଙ୍କ କହିବା ହେଲା, ଅସୁସ୍ଥ ଲୋକମାନଙ୍କୁ ସୋମବାର ରାତିରେ ବିହ୍ଲା ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଅବସ୍ଥା ଗମ୍ଭୀର ହେବାରୁ ସେଠାରୁ ୪ ପିଲାଙ୍କୁ ଛତିଶଗଡ଼ ଆୟୁର୍ବିଜ୍ଞାନ ସଂସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ପିଲାଙ୍କୁ ତାଙ୍କ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲ ନେଇଯାଇଛନ୍ତି।

Comments are closed.