ବିଦେଶ ଯିବେ ଗାନ୍ଧି ପରିବାର ,ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଖୁବଶୀଘ୍ର ବିଦେଶ ଗସ୍ତ କରିବେ। ବିଦେଶରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ସେ ଯାଉଛନ୍ତି। ତାଙ୍କ ସହ ପୁଅ ରାହୁଲ ଓ ଝିଅ ପ୍ରୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ବିଦେଶ ଗସ୍ତ କରିବେ। ତେବେ ପରିବାର ଲୋକଙ୍କ ସହ ସୋନିଆ କେଉଁ ଦେଶକୁ ଯିବେ ଓ କେବେ ଯିବେ ସେକଥା ଜଣାପଡ଼ିନି। କେବଳ ସୋନିଆ, ରାହୁଲ ଓ ପ୍ରିୟଙ୍କା ମେଡିକାଲ ଚେକଅପ ପାଇଁ ବିଦେଶ ଗସ୍ତରେ ଯିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ତାରିଖ ଓ ସ୍ଥାନ ସମ୍ପର୍କରେ କୁହାଯାଇ ନଥିଲେ ମଧ୍ୟ ସେପ୍ଟେମ୍ବର ୪ରେ ରାହୁଲ ଗାନ୍ଧି ମହଙ୍ଗା ମାଡ଼ ବିରୋଧରେ କଂଗ୍ରେସ କରିବାକୁ ଯାଉଥିବା ରାଲିରେ ସମ୍ବୋଧନ କରିବେ ବୋଲି ଦଳ କହିଛି। ଏହାର ଅର୍ଥ ଚଳିତ ସପ୍ତାହରେ ସୋନିଆ ବିଦେଶ ଗସ୍ତ କରି ସେପ୍ଟେମ୍ବର ୪ ସୁଦ୍ଧା ଫେରିବେ ବୋଲି ଆକଳନ କରାଯାଉଛି।
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଗୋଟିଏ ବିବୃତିରେ କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମେଡିକାଲ ଚେକଅପ ପାଇଁ ବିଦେଶ ଗସ୍ତ କରିବେ। ସେ ଦିଲ୍ଲୀ ଫେରିବା ପୂର୍ବରୁ ନିଜର ଅସୁସ୍ଥ ମା’ଙ୍କୁ ମଧ୍ୟ ଭେଟିବେ। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ବିଦେଶ ଗସ୍ତରେ ଯିବେ। ତେବେ ସେପ୍ଟେମ୍ବର ୪ରେ କଂଗ୍ରେସର ମହାଙ୍ଗାଇ ପର ହାଲ୍ଲାବୋଲ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧନ କରିବେ।”
Comments are closed.