ଆଇସିୟୁ ଓ୍ଵାର୍ଡରେ ଲାଗିଲା ନିଆଁ, ଭେଣ୍ଟିଲେଟରରେ ଥିବା ଜଣେ ରୋଗୀ ମୃତ

ରାଜଧାନୀର ପୁଣି ଏକ ହସପିଟାଲରେ ନିଆଁ ଲାଗିଛି। ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବାରମ୍ବାର ଘଟୁଛି ଅଗ୍ନିକାଣ୍ଡ। ପ୍ରତିଦିନ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଛି। ମୁଣ୍ଡକା ଘଟଣା ଘଟିବାର କିଛି ଦିନରେ ପୁଣି ଏକ ଘଟଣା ଘଟିଛି। ରୋହିଣୀସ୍ଥିତ ବ୍ରହ୍ମାଶକ୍ତି ହସ୍ପିଟାଲର ଆଇସିୟୁ ଓ୍ୱାର୍ଡରେ ନିଆଁ ଲାଗିଛି। ଏହି ଘଟଣାରେ ଜଣେ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ରହିଛି। ମୃତ ବ୍ୟକ୍ତି ଜଣକୁ ଛାଡି ଆଉ ବାକି ରୋଗୀଙ୍କୁ ଆଇସିୟୁରୁ ସୁରକ୍ଷିତ ବାହାର କରାଯାଇଛି।  ଘଟଣା ପରେ ହସ୍ପିଟାଲରେ ଆତଙ୍କ ଖେଳିଯାଇଛି ।

ସୂଚନାନୁସାରେ, ଶନିବାର ସକାଳେ ହଠାତ ହସ୍ପିଟାଲର ଆଇସିୟୁ ଓ୍ଵାର୍ଡରେ ନିଆଁ ଲାଗିଯାଇଥିଲା । ଫଳରେ ହସପିଟାଲରେ ଥିବା ଲୋକ ଏତେତେଣେ ଦୌଡିବାକୁ ଲାଗିଥିଲେ। କିଛି ରୋଗୀଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ତେବେ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ଭାଣ୍ଟିଲେଟରରେ ଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନଥିଲା ।

ଦିଲ୍ଲୀ ଅଗ୍ନିଶମ ସେବାର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ, ହସ୍ପିଟାଲରେ ନିଆଁ ଖବର ମିଳିବା ପରେ ୯ଟି ଗାଡି ପଠାଯାଇଥିଲା । ନିଆଁକୁ ସମ୍ପର୍ଣ୍ଣ ଭାବେ ଆୟତ୍ତ କରାଯାଇଛି । ପୋଲିସ ଓ ଅଗ୍ନିଶମ ଟିମ୍ ହସ୍ପିଟାଲରେ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ ତଦନ୍ତ କରୁଛନ୍ତି ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଲଜପତ ନଗରର ଏକ ବିଲ୍ଡିଂରେ ବେସମେଣ୍ଟରେ ନିଆଁ ଲାଗିଯାଇଥିଲା । କିନ୍ତୁ ପଛ ଝରକା ଦେଇ ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଫଳରେ ଏକ ବଡ ଅଘଟଣ ଟଳିଯାଇଥିଲା ।

ସୂଚନା ମୁତାବକ, ଦିଲ୍ଲୀରେ ଗୁରୁବାର ରାତିରେ ହମିଦପୁର ପାଖରେ ଥିବା ଏକ ଗୋଦାମରେ ନିଆଁ ଲାଗିଯାଇଥିଲା। ଏହି ଗୋଦାମରେ କାରପେଟ୍‌ ଏବଂ କ୍ରୋକରୀ ଜିନିଷ ରଖାଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳର ୧୯ଟି ଗାଡି ଲାଗିଥିଲା। କିନ୍ତୁ ନିଆଁକୁ ଆୟତ୍ତ କରିପାରିଥିଲା ଓ ତା’ ପରେ ଆଉ ବାକି ଗାଡିକୁ ପଠାଯାଇଥିଲା।

Comments are closed.