ଜଳୁଛି କାଲିଫର୍ନିଆ ଜଙ୍ଗଲ

ଆମେରିକାର ଜଙ୍ଗଲଗୁଡ଼ିକରେ ପ୍ରତିବର୍ଷ ନିଅାଁ ଲାଗିଥାଏ। ଏଥର କାଲିଫର୍ନିଆ ଜଙ୍ଗଲରେ ମଧ୍ୟ ଭୀଷଣ ନିଅାଁ ଲାଗିଛି। ଏହି କାରଣରୁ ହଜାର ହଜାର ପରିବାରକୁ ସୁରକ୍ଷିତ ଜାଗାକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଛି। ଜଙ୍ଗଲରେ ନିଅାଁ ବର୍ତ୍ତମାନ ବିକଟାଳ ରୂପ ଧାରଣ କରିଛି।

କାଲିଫର୍ନିଆରେ ୟୋସେମିଟ୍‌ ନ୍ୟାସନାଲ ପାର୍କ ନିକଟସ୍ଥ ଜଙ୍ଗଲରେ ଏହି ନିଅାଁ ଲାଗିଛି। ଏଥିଯୋଗୁ ପ୍ରଶାସନ ଲୋକମାନଙ୍କୁ ନିଜ ଘର ଛାଡ଼ି ଅନ୍ୟ ସୁରକ୍ଷିତ ଜାଗାକୁ ଚାଲିଯିବାକୁ ଆଦେଶ ଦେଇଛି। ଏହା ଚଳିତ ବର୍ଷ ଜଙ୍ଗଲରେ ଲାଗିଥିବା ସବୁଠାରୁ ଭୟଙ୍କର ନିଅାଁ ବୋଲି କୁହାଯାଉଛି। ସେପଟେ ଜଙ୍ଗଲ ନିଅାଁ ଯୋଗୁ ଅଞ୍ଚଳର ୨,୦୦୦ରୁ ଅଧିକ ଘର ଏବଂ ଉଦ୍ଦ୍ୟୋଗ ସଂସ୍ଥାର ବିଦ୍ୟୁତ୍‌ କାଟ୍‌ କରିବାକୁ ପଡ଼ିଛି।

କାଲିଫର୍ନିଆ ଅଗ୍ନି ସୁରକ୍ଷା ବିଭାଗ ଅନୁସାରେ, ମାରିପୋସା କାଉଣ୍ଟିରେ ମିଡ୍‌ପଇନ୍ସ ସହର ନିକଟ ନ୍ୟାସନାଲ ପାର୍କର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଶୁକ୍ରବାର ଦ୍ୱିପ୍ରହରରେ ନିଅାଁ ଲାଗିଥିଲା ଏବଂ ଶନିବାର ପର୍ଯ୍ୟନ୍ତ ଏହି ନିଅାଁ ପାଖାପାଖି ୪୮ ବର୍ଗ କିଲୋମିଟର ଅଞ୍ଚଳ ଯାଏ ବ୍ୟାପି ଯାଇଥିଲା। ସୂଚନା ମୁତାବକ, ଜଙ୍ଗଲ ଜଳୁଥିବାରୁ ପାଖ ଗାଁର ୬,୦୦୦ରୁ ଅଧିକ ଲୋକଙ୍କୁ କୌଣସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଘଟଣାସ୍ଥଳରେ ୪୦୦ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ରହି ନିଅାଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏଥି ସହିତ ହେଲିକାପ୍ଟର, ବିମାନ ଏବଂ ବୁଲ୍‌ଡୋଜରର ମଧ୍ୟ ସହାୟତା ନିଆଯାଉଛି।

Comments are closed.