କୁମ୍ଭୀର ସହ ସଂଘର୍ଷ କର,ଜୀବନ ବଞ୍ଚାଇଲେ ଯୁବକ
ରାଜକନିକା: ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ବଡଜୋରମୁହଁ ଗ୍ରାମର ନିତ୍ୟାନନ୍ଦ ପାତ୍ର (୪୫) ଅଳ୍ପକେ କୁମ୍ଭୀର କବଳରୁ ବର୍ତ୍ତି ଯାଇଛନ୍ତି। ଗୁୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ନିତ୍ୟାନନ୍ଦ ସବୁ ଦିନ ପରି ଶନିବାର ରାତି ୧୧ଟାରେ ନିଜ ଘର ପାଖରେ ପ୍ରବାହିତ ଖରସ୍ରୋତା ନଦୀକୂଳକୁ ଶୌଚ ହେବାକୁ ଯାଇଥିଲେ। ନଦୀରେ କୁମ୍ଭୀର ଆତଙ୍କ ରହୁଥିବାରୁ ଏକ ତୁଠରେ ଲୋକଙ୍କ ସୁରକ୍ଷା ଲାଗି ପ୍ରଶାସନ ପକ୍ଷରୁ ତାରବାଡ଼ ବୁଲାଯାଇଥିଲା। ଏବେ କିଛିଦିନ ହେବ ତାରବାଡ଼ଟି ଭାଙ୍ଗି ଯାଇଥିବାରୁ ତା’ ଭିତରକୁ ଏକ କୁମ୍ଭୀର ପଶି ଆସିଥିଲା। ନିତ୍ୟାନନ୍ଦ ଶୌଚ ପାଇଁ ନଦୀ ତୁଠକୁ ଯାଇଥିବାବେଳେ କୁମ୍ଭୀର ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ତାଙ୍କ ବେକକୁ କୁମ୍ଭୀର ଧରି ନଦୀ ମଧ୍ୟକୁ ଟାଣି ନେବାକୁ ଚେଷ୍ଟା କରିଥିଲା; ହେଲେ ନିତ୍ୟାନନ୍ଦ ସାହସ ଜୁଟାଇ କୁମ୍ଭୀର ସହ କିଛି ସମୟ ଲଢ଼େଇ କରିଥିଲେ। ନଦୀକୂଳରେ ଲାଗିଥିବା ତାରଜାଲି ତାଙ୍କ ହାତରେ ପଡ଼ିବାରୁ ତାହାକୁ ଧରି କୁମ୍ଭୀରକୁ ଜୋର୍ରେ ଧକ୍କା ମାରି କୂଳକୁ ଚାଲି ଆସିଥିଲେ। କୁମ୍ଭୀର ଆକ୍ରମଣରେ ତାଙ୍କ ବେକ ଆଉ ମୁହଁରେ ଗଭୀର କ୍ଷତ ହୋଇଥିବାରୁ ପ୍ରଥମେ ଗ୍ରାମବାସୀ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଥିଲେ। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ ହୋଇଛନ୍ତି। ଏବେ ନିତ୍ୟାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ରାଜକନିକା ଅଞ୍ଚଳ ନଦୀନାଳଘେରା ଅଞ୍ଚଳ ହୋଇଥିବାରୁ ଲୋକମାନେ ନିଜର ନିତ୍ୟ କାର୍ଯ୍ୟ ନଦୀରେ କରିଥାନ୍ତି। ପ୍ରଶାସନ ଓ ବନବିଭାଗର ଅବହେଳା ଯୋଗୁ ବିଭିନ୍ନ ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି। ନଦୀରେ ଥିବା ଭଙ୍ଗା ତାରବାଡ଼କୁ ତୁରନ୍ତ ପ୍ରଶାସନ ମରାମତି କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Comments are closed.