ରୂପ ବଦଳାଇ ଲୁଟିନେଲେ ହିରା ମୁଦି

ପୁରୀ : ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟ ବିଭାଗର ପନ୍ଦର ଦିନିଆ କ୍ୟାମ୍ପରେ ଯୋଗ ଦେବାକୁ ଆସିଥିବା ଟ୍ରେନରଙ୍କର ସ୍କୁଟିର ଡିକି ଭାଙ୍ଗି ଜଣେ ଲୁଟେରା ଏକ ହୀରା ମୁଦି ସହ ଜରୁରୀ କାଗଜପତ୍ର ଲୁଟି ନେଇଛି। ତେବେ ସିସି କ୍ୟାମେରା ଫୁଟେଜ୍‌ରେ ଏହି ଲୁଟ୍‌ର ଦୃଶ୍ୟ ରେକର୍ଡିଂ ହୋଇଥିବା ବେଳେ ଏହାକୁ ନେଇ ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଗୁରୁତ୍ବପୂର୍ଣ୍ଣ ହେଉଛି, ଜଣେ ଯୁବତୀ ପୁରୁଷ ବେଶରେ ଆସି ଏହି ଲୁଟ୍ କରୁଥିବା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ହୋଇଛି।

ପୁରୀରେ ଆଇସିଆଇସିଆଇ ବ୍ୟାଙ୍କ ମାର୍କେଟିଂ ବିଭାଗର ଏକ ପନ୍ଦର ଦିନିଆ ତାଲିମ ଶିବିର ଚାଲୁଛି। ଏହି ଶିବିରରେ ତାଲିମ ଦେବାକୁ ଭୁବନେଶ୍ବରରୁ ସରିତା ସାମଲ ଆସି ମାର୍କେଟ ଛକ ନିକଟସ୍ଥ ଏକ ଲଜିଂରେ ରହିଥିଲେ। ସେ ତାଙ୍କ ଓଡି-୩୪-ଏ-୪୨୫୫ ନମ୍ବର ବିଶିଷ୍ଟ ସ୍କୁଟି ଗାଡ଼ିକୁ ଏହି ଲଜ୍‌ ସମ୍ମୁଖରେ ରଖିଥିଲେ।

ତେବେ ଗତକାଲି ସକାଳ ପ୍ରାୟ ୫ଟା ୧୫ ମିନିଟ ସମୟରେ ଜଣେ ଯୁବତୀ ପୁରୁଷ ବେଶରେ ଆସି ତାଙ୍କ ସ୍କୁଟିର ଡିକି ଭାଙ୍ଗି ସେଥିରେ ଥିବା ଏକ ହୀରା ମୁଦି, ଆଧାର କାର୍ଡ, ଭୋଟ ପରିଚୟପତ୍ର ଓ ଅନ୍ୟାନ୍ୟ କାର୍ଡ ଆଦି ଲୁଟି ନେଇଥିଲା।

Comments are closed.