କର୍ଣାଟକରେ ବିଜେପି ନେତାଙ୍କୁ ହତ୍ୟା

କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ବିଜେପି ନେତା ପ୍ରବୀଣ ନେଟାରୁଙ୍କୁ ମଙ୍ଗଳବାର କୁରାଢ଼ୀରେ ହାଣି ହତ୍ୟା କରାଯାଇଛି। ପ୍ରବୀଣ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ଥିଲେ। ହତ୍ୟା ପରେ ବିଜେପି କର୍ମୀମାନେ ଏକଜୁଟ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ପୋଲିସ ଏହି ଘଟଣାରେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।

ମୁଖ୍ୟମନ୍ତ୍ରୀ ବାସଭରାଜ ବୋମଇ ଆଶ୍ୱସନା ଦେଇ କହିଛନ୍ତି, ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହି ପ୍ରକାର ଘୃଣ୍ୟ କାର୍ଯ୍ୟ କରିଥିବା ଅପରାଧୀମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ଏବଂ ଆଇନ ଅନୁସାରେ ଦଣ୍ଡିତ କରାଯିବ।

ପୋଲିସ ମୁତାବକ, ଦକ୍ଷିଣ କନ୍ନଡ଼ର ବେଲାରେ ଅଞ୍ଚଳରେ ପ୍ରବୀଣଙ୍କର ଏକ କୁକୁଡ଼ା ଫାର୍ମ ଦୋକାନ ରହିଛି। ମଙ୍ଗଳବାର ଯେତେବେଳେ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ସେହି ସମୟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ରାସ୍ତା ଅଟକାଇଥିଲେ। ଏହାପରେ ସେମାନେ କୁରାଢ଼ୀରେ ପ୍ରବୀଣଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସେ ଗମ୍ଭୀର ରୂପେ ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ରାତି ପ୍ରାୟ ୯ଟାର ବୋଲି ଜଣାପଡ଼ିଛି। ପୋଲିସ ଏ ନେଇ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ବିଜେପି କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ସ୍ଥାନୀୟ ବଜାର ବନ୍ଦ ରହିଛି।

Comments are closed.