ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଇଭେଣ୍ଟରେ ଭାରତର ଦବଦବା ଜାରି

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଇଭେଣ୍ଟରେ ଭାରତର ଦବଦବା ଜାରି ରହିଛି। ରେସଲିଂର ପ୍ରଥମ ଦିନରେ ଭାରତୀୟ ଯୋଦ୍ଧାମାନେ ୩ ସ୍ୱର୍ଣ୍ଣ ସହ ୬ ପଦକ ହାତେଇଥିବା ବେଳେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଆଜି ଭାରତର ଆଉ ଦୁଇ ଷ୍ଟାର ରେସଲର ରବି କୁମାର ଦାହିୟା ଓ ନବୀନ କୁମାର ନିଜ ନିଜ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଏହାର ଅର୍ଥ କୁସ୍ତିରେ ଭାରତର ଆଉ ଦୁଇଟି ପଦକ ନିଶ୍ଚିତ ହୋଇଛି।

ରବି କୁମାର ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ ରେସଲିଂର ସେମି ଫାଇନାଲରେ ପାକିସ୍ତାନର ଅଲୀ ଆସଦଙ୍କୁ ଭେଟିଥିଲେ। ସେ ମ୍ୟାଚ୍‌ର ଆରମ୍ଭରୁ ଆଟାକ କରି ରବି କୁମାର ଦାହିୟାଙ୍କ ଡିଫେନ୍ସକୁ ଭେଦିବାରେ ସକ୍ଷମ ହୋଇଥିଲେ। ହେଲେ ରବି କୁମାର ହାରିବା ମୁଡ଼ରେ ନଥିଲେ। ସେ କାଉଣ୍ଟର ଆଟାକ କରି ଆସଦଙ୍କୁ ତାଙ୍କରି ଜାଲରେ ଫସାଇ ଦେଇଥିଲେ। ଫଳରେ ରବିଙ୍କୁ ଦୁଇ ପଏଣ୍ଟ ମିଳିଥିଲା। ଏହାର କିଛି ସମୟରେ ସେ ସ୍ଥିତିକୁ ୬-୦ କରି ଦେଇଥିଲେ। ହେଲେ ଅଲୀ ଦ୍ୱିତୀୟ ଭାଗରେ ୨ ପଏଣ୍ଟ ହାସଲ କରିଥିଲେ। ରବି ପୁଣି ଆଟାକ କରିବା ସହ ମ୍ୟାଚ୍‌କୁ ୧୪-୪ରେ ଜିତି ଫାଇନାଲ ଟିକେଟ ହାସଲ କରିଥିଲେ।

Comments are closed.