ଗୋଷ୍ଠୀ ସଂଘର୍ଷ : ୨୨ରୁ ଅଧିକ ଆହତ, ୮ ଗୁରୁତର

ଗଜପତି ଜିଲ୍ଲା ମୋହନା ଥାନା ବାହାଡ଼ା ପଦା ଓ ବିଜିପୁର ଗାଁରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଦୁଇଟି ଗାଁର ୨୨ରୁ ଉର୍ଦ୍ଧ ବ୍ୟକ୍ତି ଆହତ । ସେଥିରୁ ବିଜିପୁର ଗାଁର ୧୨ ଜଣ ଥିବା ବେଳେ , ବାହାଡ଼ାପଦା ଗାଁର ୧୦ ଜଣ ଅଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର MKCG ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଚନ୍ଦ୍ରଗିରି ମୌଜାର ବାହାଡାପଦା ଗାଁର ଏକ ଗୋଚର ଜମିକୁ ନେଇ ବିଜିପୁର ଏବଂ ବାହାଡାପଦା ଗାଁ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିିଥିଲା । ଏହାକୁ ନେଇ ଉଭୟ ଗାଁ ଥାନାର ଦ୍ୱାରସ୍ଥ ହେବା ସହ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ତେବେ ରବିବାର ଅପରାହ୍ନ ସମୟରେ ବାହାଡାପଦା ଗ୍ରାମବାସୀ ନିଜ ଗାଁର ଉକ୍ତ ଗୋଚର ଜମିକୁ ସଫା କରୁଥିବାବେଳେ ବିଜିପୁର ଗ୍ରାମବାସୀ ଆସି ବିରୋଧ କରିଥିଲେ । ଫଳରେ ଉଭୟ ଗାଁର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ଉତ୍ତେଜନା ବଢ଼ିବା ସହ ଉଭୟ ପକ୍ଷ ପରସ୍ପରକୁ ଟାଙ୍ଗିଆ, କାତି ଏବଂ କାଠଫାଳିଆରେ ଆକ୍ରମଣ କରିଥିଲେ । ଖବର ପାଇଁ ମୋହନା ପୋଲିସ ଗାଁରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.