ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ କଲା ଚୀନ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଗାମୀ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ ଦୃଢ ବିରୋଧ କରିଛି । ଏହା ଚୀନର ଅଖଣ୍ଡତାର ଉଲ୍ଲଙ୍ଘନ ବୋଲି ବେଜିଂ କହିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଓ୍ବାଙ୍ଗ ଓ୍ବେନବିନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଜଙ୍ଗନାନ ( ଚୀନ ଅରୁଣାଚଳ ପ୍ରଦେଶକୁ ଏପରି ନାମିତ କରିଛି) ଚୀନର ଅଂଚଳ । ଏଣୁ ଶାହାଙ୍କ ଗସ୍ତ ଏହାର ସାର୍ବଭୌମତ୍ୱର ଉଲ୍ଲଂଘନ । ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ ଦୃଢ଼ ବିରୋଧ କରୁଛି।

ଗୃହମନ୍ତ୍ରୀ ଅମିତ ଶାହା ଆଜି ଅରୁଣାଚଳ ପ୍ରଦେଶରେ ପହଞ୍ଚିଛନ୍ତି । ସେ ରାଜ୍ୟର ସୀମାନ୍ତ ଗ୍ରାମ କିବିଥୁରୁ ‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ’ର ଶୁଭାରମ୍ଭ କରିବେ। ସେ ଭାରତ-ଚୀନ ସୀମାରେ ଥିବା ଆଇଟିବିପି ସୀମା ପୋଷ୍ଟ ପରିଦର୍ଶନ କରିବା ସହ ଆଇଟିବିପି ଯବାନଙ୍କ ସହ ଆଲୋଚନା କରିବେ। ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଚିହ୍ନଟ ହୋଇଥିବା ସୀମାବର୍ତ୍ତୀ ଗ୍ରାମଗୁଡିକରେ ରହୁଥିବା ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ସହାୟକ ହେବ ଏବଂ ଲୋକଙ୍କୁ ନିଜ ଜନ୍ମସ୍ଥାନରେ ରହିବାକୁ ଉତ୍ସାହିତ କରିବ, ଯାହା ଦ୍ୱାରା ଏହି ଗ୍ରାମଗୁଡ଼ିକରୁ ସ୍ଥାନାନ୍ତର କୁ ରୋକାଯାଇପାରିବ ଏବଂ ସୀମା ସୁରକ୍ଷା ବୃଦ୍ଧି ପାଇବ ।

କିଛିଦିନ ତଳେ ଚୀନ ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଂଚଳର ଚୀନା ନାମକରଣ କରିଥିଲା । ଏହାକୁ ଭାରତ ସରକାର ତୀବ୍ର ବିରୋଧ କରିଥିଲେ ।

Comments are closed.