ଚଣ୍ଡିଗଡ଼ ମେୟର ନିର୍ବାଚନ, ବାଲଟ ପେପର ଚେକ୍ କରିବେ ସୁପ୍ରିମକୋର୍ଟ

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ଆପ୍‌ର ୮ ଜଣ କାଉନସିଲରଙ୍କ ବାଲଟ ପେପରକୁ ନାକଚ କରାଯିବାରୁ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରି ଆସନ୍ତାକାଲି ଦିନ ୧୦.୩୦ ସୁଦ୍ଧା ନାକଚ ହୋଇଥିବା ବାଲଟ ପେପରଗୁଡ଼ିକୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଗୁଡ଼ିକୁ ନାକଚ କରିଥିବା ରିଟର୍ଣ୍ଣିଂ ଅଫିସର ଅନୀଲ ମାସିହଙ୍କୁ ମଧ୍ୟ କୋର୍ଟ କଡ଼ା ସମାଲୋଚନା କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜିର ଶୁଣାଣି ପୂର୍ବରୁ ଚଣ୍ଡିଗଡ଼ ମେୟର ତଥା ବିଜେପି ନେତା ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଆପ୍‌ର ୩ ଜଣ କାଉନସିଲର ଦଳ ବଦଳ କରି ବିଜେପି ସହ ହାତ ମିଳାଇଥିଲେ।

ଏପରି କରି ବିଜେପି ପୁଣି ମେୟର ନିର୍ବାଚନ କରାଇବାକୁ ଲକ୍ଷ୍ୟ ରଖିଛି। ପୁଣି ନିର୍ବାଚନ ହେଲେ ବିଜେପି ବେଶ ସହଜରେ ଓ ବିନା ବିବାଦରେ ମେୟର ପଦ ହାତେଇ ପାରିବ ବୋଲି ଆଶା କରିଛି।

Comments are closed.