ଦିଲ୍ଲୀକୁ ପ୍ରଦୂଷଣରୁ ରକ୍ଷା ପାଇଁ ବସିଲା ସିଏକ୍ୟୁଏମ୍ ବୈଠକ
ନୂଆଦିଲ୍ଲୀ :ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ସିଏକ୍ୟୁଏମ୍ର ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ୍ ପ୍ଲାନ୍ (ଜିଆର୍ଏପି) ବା ଶ୍ରେଣୀବଦ୍ଧ ମୁକାବିଲା କାର୍ଯ୍ୟ ଯୋଜନା ଉପ-ସମିତିର ଏହି ଜରୁରି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆୟୋଗଙ୍କର ଏହି ବୈଠକରେ ସାମଗ୍ରିକ ବାୟୁ ଗୁଣବତ୍ତା ପାରାମିଟରର ସମୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ପ୍ରତିକୂଳ ପାଣିପାଗ, ପବନର ଗତି ହ୍ରାସ, କୃଷିବର୍ଜ୍ୟ ଓ ନଡ଼ାପୋଡ଼ି ବୃଦ୍ଧି କାରଣରୁ ପ୍ରଦୂଷଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଏନ୍ସିଆର ଅଞ୍ଚଳରେ ଜରୁରିକାଳୀନ ଭିତ୍ତିରେ ଜିଆର୍ଏପିର ପର୍ଯ୍ୟାୟ-୩ ଲାଗୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ସକ୍ରିୟ ମଡେଲ ଏବଂ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀରେ ନଭେମ୍ବର ପହିଲା ଯାଏ ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିବ। ପରବର୍ତ୍ତୀ ଛଅ ଦିନ ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା ଗମ୍ଭୀରରୁ ଅତି ଖରାପ ସ୍ଥିତିରେ ରହିବ। ଆଗାମୀ ଦିନରେ ପବନର ଗତି ପ୍ରାୟତଃ ସ୍ଥିର ରହିବ ଏବଂ ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଆସିବାର ସମ୍ଭବନା ରହିଛି। ଏଣୁ ଲୋକମାନଙ୍କୁ କେତେକ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ଷେତ୍ରକୁ ସାଥୀ ହୋଇ ଗୋଟିଏ ଗାଡ଼ିରେ ଯିବା କିମ୍ବା ସାଧାରଣ ପରିବହନ ସେବା ବ୍ୟବହାର କରିବା, ଚାଲି ଚାଲି ଯିବା କିମ୍ବା ସାଇକେଲ ବ୍ୟବହାର କରିବା ଲାଗି କୁହାଯାଇଛି। ଯେଉଁମାନେ ଘରୁ ଥାଇ କାମ କରିପାରିବେ ସେମାନେ ଏହି ସୁବିଧାର ଉପଯୋଗ କରିବେ। କୋଇଲା ଓ କାଠ ଜାଳିବା ଉପରେ କଟକଣା ଜାରି କରାଯାଇଛି। ଖୋଲାରେ ନିଆଁ ଜାଳିବା ବନ୍ଦ କରିବାକୁ କୁହାଯାଇଛି। ଏଥିପାଇଁ ସୁରକ୍ଷା କର୍ମଚାରୀଙ୍କୁ ବିଦ୍ୟୁତ୍ ହିଟର ଯୋଗାଇ ଦେବାକୁ ଘର ମାଲିକମାନଙ୍କୁ କୁହାଯାଇଛି। ଯଥାସମ୍ଭବ ଗାଡ଼ି ବ୍ୟବହାର କମ୍ କରିବା ଏବଂ ଅଳ୍ପଦୂର ଯିବାକୁ ଥିଲେ ଚାଲି ଚାଲି ଯିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।
Comments are closed.