ମଣିପୁର ଘଟଣାରେ ସିବିଆଇ କରିବ ତଦନ୍ତ

ନୂଆଦିଲ୍ଲୀ :ମଣିପୁରରେ ୨ ଜଣ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ଚଳାଇବା ଓ ଅସଦାଚରଣ କରିବା ଭଳି ଜଘନ୍ୟକାଣ୍ଡର ତଦନ୍ତ ସିବିଆଇ କରିବ। ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆସନ୍ତାକାଲି ଅବଗତ କରାଇ ପାରନ୍ତି।

ଏହାବାଦ ଘଟଣା ବେଳର ଦୃଶ୍ୟକୁ କଏଦ ପାଇଁ ବ୍ୟବହାର କରାଯାଇଥିବା ମୋବାଇଲକୁ ଆଜି ତଦନ୍ତକାରୀ ଅଧିକାରୀମାନେ ଜବତ ମଧ୍ୟ କରିଛନ୍ତି। ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଦୁଇ ଜଣ ମହିଳାଙ୍କୁ ମେ’ ୪ ତାରିଖରେ ମୈତୈ ସଂପ୍ରଦାୟର ଲୋକ ବିଚ୍‌ ରାସ୍ତାରେ ନିବସ୍ତ୍ର କରି ଚଲାଇ ଚଲାଇ ନେଇଥିଲେ।

ଏହାର ଭିଡିଓ ଜୁଲାଇ ୧୯ରେ ସାମ୍ନାକୁ ଆସିଥିଲା। ଭିଡିଓ ଦେଖି ପୂରା ଦେଶ ଦୋହଲି ଯାଇଛି। ସଂସଦ ଠାରୁ ଆରମ୍ଭ ଗାଁ ଗାଁରେ ଏହି ଘଟଣା ବିରୋଧରେ ସ୍ୱର ଉଠିବାରେ ଲାଗିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ମଧ୍ୟ ମଣିପୁର ପ୍ରସଙ୍ଗକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି।

ଏସବୁ ଭିତରେ ଏବେ ଘଟଣାର ତଦନ୍ତ ସିବିଆଇ କରିବ ବୋଲି ଜଣାପଡ଼ିଛି। ସୂତ୍ର ଅନୁସାରେ, ସରକାର ଏହି ଘଟଣାର ଶୁଣାଣି ରାଜ୍ୟ ବାହାରେ କରିବାକୁ ଅନୁମତି ଲୋଡ଼ି ପାରନ୍ତି। ପଡ଼ୋଶୀ ଆସାମର କୌଣସି କୋର୍ଟରେ ଏହାର ଶୁଣାଣି ହୋଇପାରେ।

Comments are closed.