ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ବାଇଡେନ

ୱାସିଂଟନ : ଫଳାଫଳ ପ୍ରକାଶ ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ଦଳ ସ୍ବଳ୍ପ ସଂଖ୍ୟକ ଅଧିକ ଆସନରେ ଜିତିବାର ସମ୍ଭାବନା ଦେଖାଦେଇଥିବାରୁ ବାଇଡେନ ଏହାକୁ ‘ଗଣତନ୍ତ୍ର ପାଇଁ ଶୁଭଦିନ’ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ମୁଦ୍ରାସ୍ଫୀତି, ବଜାରଦର ବୃଦ୍ଧି ଆଦି କାରଣରୁ ବାଇଡେନଙ୍କ ବିରୋଧରେ ହାୱା ବହୁଥିବାରୁ ରିପବ୍ଲିକାନ୍‌ମାନେ ବହୁ ଅଧିକ ସଂଖ୍ୟାରେ ଜିତିବା ଆଶା କରାଯାଉଥିଲା। ବର୍ତ୍ତମାନ ଫଳାଫଳରୁ ଜଣାପଡ଼ୁଛି ରିପବ୍ଲିକାନ୍‌ମାନେ ଜିତିବେ କିନ୍ତୁ ଡେମୋକ୍ରାଟଙ୍କଠାରୁ ବ୍ୟବଧାନ କମ୍ ରହିବ। ବିଭିନ୍ନ ଗଣମାଧ୍ୟମ ରେଡ୍‌ ୱେଭ୍‌ର ଯେଉଁ ପୂର୍ବାନୁମାନ କରିଥିଲେ ତାହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି। ଫଳରେ ଡୋନାଲ୍‌ଡ ଟ୍ରମ୍ପ ୨୦୨୪ରେ ଆଉଥରେ ରାଷ୍ଟ୍ରପତି ହେବାକୁ ଯେଉଁ ଆଶା ବାନ୍ଧିଥିଲେ ତାହା ମଉଳିବାକୁ ବସିଛି। ରିପବ୍ଲିକାନ୍ ଦଳର ସଂଖ୍ୟାଧିକ ପ୍ରାର୍ଥୀ ଜିତିଥିଲେ ମଧ୍ୟ ବହୁ ବଡ଼ ବଡ଼ ମୁଣ୍ଡ ଗଡ଼ିଯାଇଛି। କିନ୍ତୁ ଟ୍ରମ୍ପଙ୍କ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ତଥା ତାଙ୍କ ନିଜ ଦଳରୁ ୨୦୨୪ରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାର ସମ୍ଭାବନା ଥିବା ରନ ଡିସାଣ୍ଟିସ୍ ବିପୁଳ ଭୋଟରେ ଜିତି ଫ୍ଲୋରିଡ଼ାର ଗଭର୍ଣ୍ଣର ପଦ ବଜାୟ ରଖିଛନ୍ତି।

Comments are closed.