କାହିଁକି NRC ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ
ଗୌହାଟୀ: ନାଗରିକତ୍ବ ପ୍ରମାଣ କରିବା ନିମନ୍ତେ ‘ନ୍ୟାସ୍ନାଲ୍ ରେଜିଷ୍ଟର୍ ଅଫ୍ ସିଟିଜେନ୍’ରେ (ଏନ୍ଆର୍ସି) ଅନ୍ତର୍ଭୁକ୍ତ ହେବା ଲାଗି ଆବେଦନ କରିବା ଯଥେଷ୍ଟ ନୁହେଁ; ଭାରତୀୟ ବୋଲି ଦର୍ଶାଇବା ପାଇଁ ଲୋକେ ଜାତୀୟ ପତାକା ଉଡ଼ାଇବା ଉଚିତ ବୋଲି ମଙ୍ଗଳବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି।
ମଙ୍ଗଳବାର ଦିନ ଉଦଲଗୁଡ଼ିରେ ଗୋଟାଏ ୨୫ଏମ୍ଡବ୍ଲୁ ସୋଲାର୍ ପ୍ଲାଣ୍ଟ୍ ଉଦ୍ଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଲେ, ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବା ଲାଗି କେହି ଯେମିତି ନ ଭୁଲନ୍ତି। ଭାରତର ଜଣେ ନାଗରିକ ବୋଲି ‘ଏନ୍ଆର୍ସି’ରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବେଦନ କରିବା ଯଥେଷ୍ଟ ନୁହେଁ। ଜାତୀୟ ପତାକା ଉଡ଼ାଇଲେ ଯାଇ ଜଣେ ପ୍ରମାଣିତ କରିପାରିବେ ଯେ, ସେ ଭାରତ ମାତାର ପ୍ରକୃତ ସନ୍ତାନ।
ତେଣୁ, ସମସ୍ତେ ସେମାନଙ୍କର ନିକଟତମ ସଉଦା ଦୋକାନକୁ ଯାଇ ଟ. ୧୬/- ଲେଖାଏଁ ଦେଇ ଜାତୀୟ ପତାକାଟିଏ ଖରିଦ କରନ୍ତୁ। ଜାତୀୟ ପତାକା ମାଗଣାରେ ଦିଆଯିବ ନାହିଁ। କାରଣ ପ୍ରକୃତ ଭାରତୀୟ ଅନ୍ୟମାନଙ୍କଦ୍ବାରା ପ୍ରଦତ୍ତ ଜାତୀୟ ପତାକା ଗ୍ରହଣ ନ କରି ନିଜେ ଖରିଦ କରି ଉଡ଼ାନ୍ତି ବୋଲି ସେ କହିଛନ୍ତି।
ସେହିପରି, ବୋକୋରେ ବୁଧବାର ଦିନ ଆଉ ଗୋଟାଏ ୨୫ଏମ୍ଡବ୍ଲୁ ସୋଲାର୍ ପ୍ଲାଣ୍ଟ୍ ଉଦ୍ଘାଟନ କରିବା ଅବସରରେ ମଧ୍ୟ ସେ ଉପରୋକ୍ତ ଅନୁରୋଧ ଦୋହରାଇଥିଲେ।
ସୂଚନାଯୋଗ୍ୟ, ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚାଲିଥିବା ‘ସ୍ବାଧୀନତାର ଅମୃତ ମହତ୍ସୋବ’ରେ ରାଜ୍ୟବ୍ୟାପୀ ଲୋକେ ୮ ନିୟୁତ ତ୍ରିରଙ୍ଗ ପତାକା ଉଡ଼ାଇବେ ବୋଲି ଆସାମ ସରକାରଙ୍କ ଲକ୍ଷ୍ୟ ରହିଛି।
Comments are closed.