ପ୍ରଧାନମନ୍ତ୍ରୀଙ୍କ ଇ -ବସକୁ ଅନୁମୋଦନ

ନୂଆଦିଲ୍ଲୀ : ଦେଶର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ବିଶ୍ବକର୍ମା’ ଯୋଜନା ବୁଧବାର କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅନୁମୋଦିତ ଏହି ୧୩ହଜାର କୋଟି ଟଙ୍କାର ଯୋଜନା ଦ୍ବାରା ଦେଶର ପ୍ରାୟ ୩୦ଲକ୍ଷ ପାରମ୍ପରିକ କାରିଗର ଉପକୃତ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କେନ୍ଦ୍ର ରେଳବାଇ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ। ‘ପିଏମ୍‌ ବିଶ୍ବକର୍ମା’ ଯୋଜନା ମାଧ୍ୟମରେ ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରମାନଙ୍କୁ ମାତ୍ର ୫ ପ୍ରତିଶତ ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଦ୍ବିତୀୟ ଦଫାରେ ରିଆତି ହାରରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ଯୋଜନାରେ ରହିଛି। ସେମାନଙ୍କ ଦକ୍ଷତା ବୃଦ୍ଧି ସହ ରୋଜଗାର ବୃଦ୍ଧିରେ ଏହି ଯୋଜନା ସହାୟକ ହେବ। ଦକ୍ଷତା ବୃଦ୍ଧି ତାଲିମ ପାଇଁ କାରିଗରମାନଙ୍କୁ ମାସିକ ୫୦୦ ଟଙ୍କା ଭତ୍ତା ଓ ଆଧୁନିକ ସାମଗ୍ରୀ କିଣିବା ପାଇଁ ୧୫୦୦ ଟଙ୍କା ପ୍ରଦାନ କରାଯିବ। କାରିଗରମାନେ ଏହି ଯୋଜନାର ହିତାଧିକାରୀ ହେବା ପାଇଁ ଗ୍ରାମାଞ୍ଚଳରେ ଥିବା ‘କମନ୍‌ ସର୍ଭିସ୍‌ ସେଣ୍ଟର’ ବା ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ। ଯୋଜନାର ସମସ୍ତ ବ୍ୟୟଭାର କେନ୍ଦ୍ର ସରକାର ବହନ କରିବେ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କ ସହଯୋଗ ନିଆଯିବ ବୋଲି ବୈଷ୍ଣବ କହିଛନ୍ତି।

କେନ୍ଦ୍ର କ୍ୟାବିନେଟ୍‌ରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି। ପରିବେଶ ସୁରକ୍ଷା ପାଇଁ ଦେଶରେ ବୈଦ୍ୟୁତିକ ଯାତ୍ରୀ ପରିବହନ ଯାନ ଚଳାଚଳକୁ ପ୍ରୋତ୍ସାହନ ଲକ୍ଷ୍ୟରେ ‘ପ୍ରଧାନମନ୍ତ୍ରୀ ଇ-ବସ୍‌ ସେବା’ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ୫୭,୬୧୩ କୋଟି ଟଙ୍କା ବ୍ୟୟରେ ଦେଶର ୧୦୦ ସହରରେ ପ୍ରାୟ ୧୦ ହଜାର ବୈଦ୍ୟୁତିକ ବସ୍‌ ଚଳାଚଳ କରିବ। ଏଥିମଧ୍ୟରୁ ୨୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। ଏଥିପାଇଁ ‘ଗ୍ରୀନ ଅର୍ବାନ ମୋବିଲିଟି’ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସହରର ଭିତ୍ତିଭୂମି ବିକାଶ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ଆବଶ୍ୟକ ହେଲେ ଘରୋଇ ସହଭାଗିତାରେ (ପିପିପି) ସରକାର ଅତିରିକ୍ତ ଇ-ବସ୍‌ ଯୋଗାଇଦେବେ। ବସ୍‌ କ୍ରୟ ଓ ଏହି ଯୋଜନାର ପରିଚାଳନା ମଧ୍ୟ ପିପିପି ଆଧାରରେ କରାଯିବ ଏବଂ ଘରୋଇ ନିବେଶକାରୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତି କିଲୋମିଟର ହିସାବରେ ଏଥିପାଇଁ ସହାୟତା ମିଳିବ ବୋଲି ଠାକୁର କହିଛନ୍ତି।

Comments are closed.