ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଛି ପଶୁ ଚର୍ବି

0

ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଛି ପଶୁ ଚର୍ବି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏପରି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଲ୍ୟାବ ରିପୋର୍ଟ ବି ସମାନ କଥା କହୁଛି। ଲ୍ୟାବ ରିପୋର୍ଟ ଅନୁଯାୟୀ, ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି, ମାଛ ତେଲ ଆଦି ବ୍ୟବହାର କରାଯାଉଛି। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି।

NDDB CALF ନାମକ ଘରୋଇ ଲ୍ୟାବ୍‌ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, ତିରୁପତି ଲଡ଼ୁରେ ତାଳ ତେଲ, ମାଛ ତେଲ,ଗୋ ମାଂସରୁ ବାହାରୁଥିବା ଚର୍ବି, ଘୁଷୁରି ଚର୍ବିର ମିଶ୍ରଣ କରାଯାଉଛି। ଲ୍ୟାବ୍‌ର ରିପୋର୍ଟକୁ ଶାସକ ତେଲଗୁ ଦେଶମ ପାର୍ଟି ପକ୍ଷରୁ ସୋଶାଲ ମିଡିଆରେ ଶେଆର କରାଯାଇଛି।

ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରାଯାଇଥିବା ବେଳେ ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ସେ କହିଛନ୍ତି, ଏପରି ଅନିୟମିତତାରେ ଲିପ୍ତ କୌଣସି ବି ଜଣେ ବ୍ୟକ୍ତିଙ୍କୁ ଛଡ଼ାଯିବନି। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋତେ ଯେଉଁ ଲ୍ୟାବ ରିପୋର୍ଟ ମିଳିଛି ସେଥିରେ ପ୍ରସାଦର ଗୁଣବତ୍ତାକୁ ଘୋଟାଲା କରାଯାଇଥିବା ସ୍ପଷ୍ଟ ହୋଇଛି। ଏପରିକି ପ୍ରସାଦରେ ଅପବିତ୍ର ବସ୍ତୁ ମିଶିଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି। ମାତ୍ର ଏବେଠୁ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯିବ । ଏହି ଘଟଣାର ମୂଳ ପର୍ଯ୍ୟନ୍ତ ଯାଞ୍ଚ କରାଯିବ । ଏହି ଘଟଣା ସହ ଜଡ଼ିତ ସମସ୍ତ ଦିଗକୁ ତର୍ଜମା କରାଯିବ ।

Leave A Reply

Your email address will not be published.