୧୦୦ ବର୍ଷା ପରେ ଭାରତ ହେବ ବିକଶିତ ରାଷ୍ଟ୍ର, ମୋଦି

ସ୍ୱାଧୀନତାର 100 ବର୍ଷ ବେଳକୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ଆଉ ସେତବଳକୁ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଏକ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, 2047 ମସିହା ବେଳକୁ ଦେଶ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହେବ।

ଏହି ସମୟ ବେଳକୁ ଦୁର୍ନୀତି ଜାତିବାଦ ଆଉ ସାମ୍ପ୍ରଦାୟିକତା ପାଇଁ କୌଣସି ସ୍ଥାନ ନଥିବ। ସେ ଆହୁରି କହିଛନ୍ତି, ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ। ଦୀର୍ଘ ଦିନ ଧରି ଭାରତକୁ ଗରିବ ରାଷ୍ଟ୍ରରେ ପରିଗଣିତ କରାଯାଉଥିଲା। ଭାରତରେ କୋଟି କୋଟି ଲୋକ ଖାଲି ପେଟରେ ରୁହନ୍ତି ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସମୟ ବଦଳିଯାଇଛି, ଏବେ ଭାରତକୁ ଉଚ୍ଚାଭିଳାଷୀ ଓ କୁଶଳୀ ଲୋକଙ୍କ ଦେଶ କୁହାଯାଉଛି।

ବର୍ତ୍ତମାନ ଭାରତ ପାଖରେ ପ୍ରଗତିର ମୂଳଦୁଆ ପକାଇବାର ସୁଯୋଗ ରହିଛି, ଆଉ ଏହି ମୂଳଦୁଆ ହିଁ ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ମନେ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ବୃଦ୍ଧି ପାଉଥିବା ସାଇବର ଅପରାଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ସାଇବର ଅପରାଧ ବିରୋଧରେ ଲଢ଼େଇ କରିବା ପାଇଁ କେବଳ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ ନୁହେଁ, ବରଂ ଏହା ଜରୁରୀ। ସାଇବର ସେକ୍ଟରରେ ବେଆଇନ ଆର୍ଥିକ କାରବାର ଏବଂ ଆତଙ୍କବାଦ ବିରୋଧରେ ଦେଶରେ ଏବେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

ନୂଆଦିଲ୍ଲୀରେ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ବର୍ତ୍ତମାନ ମାର୍ଗଦର୍ଶନ ପାଇଁ ଭାରତକୁ ଦେଖୁଛି। ଆମର କଥା ଓ ଦୃଷ୍ଟିଭଙ୍ଗୀ କେବଳ ଧାରଣା ନୁହେଁ ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ ଭାବରେ ଦେଖାଯାଉଛି। ବିଶ୍ୱର ଜିଡିପି କେନ୍ଦ୍ରିକ ଦୃଷ୍ଟିକୋଣ ମାନବ-କେନ୍ଦ୍ରିକ ଦୃଷ୍ଟିକୋଣରେ ବଦଳୁଛି ଏବଂ ଏହି ପରିବର୍ତ୍ତନରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.