ଆସାମ ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲେ ଆମିର ଖାନ
ଆସାମ ବର୍ତ୍ତମାନ ଭୀଷଣ ବନ୍ୟା ପରିସ୍ଥିତିରେ ରହିଛି। ଯେଉଁଆଡ଼େ ଚାହିଁବ, ସେହିଆଡ଼େ କେବଳ ପାଣି ହିଁ ପାଣି। ଏହି ବନ୍ୟାରେ ୨୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏମିତି ସ୍ଥିତିରେ ସାରା ଦେଶରୁ ଆସାମକୁ ସହାୟତା ଛୁଟୁଛି। ଏହିପରି ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଆସାମର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଆମିର ଖାନଙ୍କ ଭଳି ଅନେକ ଲୋକ ମଧ୍ୟ ଏଭଳି ସଙ୍କଟ ସ୍ଥିତିରେ ଆସାମକୁ ସହାୟତାର ହାତ ବଢ଼ାଉଛନ୍ତି।
ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ନିଜ ଟ୍ଵିଟର ଆକାଉଣ୍ଟରୁ ଏକ ପୋଷ୍ଟ୍ କରିଛନ୍ତି। ସେ ଲେଖିଛନ୍ତି, ‘ବଲିଉଡ୍ ଅଭିନେତା ଆମିର ଖାନ ସିଏମ୍ ରିଲିଫ୍ ଫାଣ୍ଠିକୁ ୨୫ ଲକ୍ଷ ଟଙ୍କାର ଯୋଗଦାନ ଦେଇ ଆମ ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ତାଙ୍କର ଚିନ୍ତା ଏବଂ ଉଦାର କାର୍ଯ୍ୟ ପାଇଁ ମୋର କୃତଜ୍ଞତା’।
ସୂଚନାଥାଉ ଯେ ଆସାମ ବନ୍ୟା ଯୋଗୁ ପାଖାପାଖି ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୨୬ ଲୋକ ପ୍ରାଣ ହରାଇ ସାରିଲେଣି। ରାଜ୍ୟରେ ଏବେ ୨୫ ଜିଲ୍ଲାରେ ବନ୍ୟାର ପ୍ରକୋପ ଜାରି ରହିଛି। ଏଥିଯୋଗୁ ୭୯ଟି ରାସ୍ତା ଏବଂ ୫ଟି ବ୍ରିଜ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ମୁଖ୍ୟମନ୍ତ୍ରୀ ଲଗାତାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏହି ବନ୍ୟାରେ କେବଳ ମଣିଷ ନୁହଁନ୍ତି, ପଶୁପକ୍ଷୀମାନେ ମଧ୍ୟ ମରଣ ମୁହଁରେ ପଡ଼ୁଛନ୍ତି। ବିଭିନ୍ନ ଅଞ୍ଚଳରେ ଥିବା ଚାଷଜମିରେ ବନ୍ୟାପାଣି ମାଡ଼ି ଯିବାରୁ ଫସଲଗୁଡ଼ିକ ନଷ୍ଟ ହୋଇଯାଇଛି।
କହି ରଖୁଛୁ, ଆମିର ଖାନ ଏବେ ନିଜ ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଢ଼ା’କୁ ନେଇ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହିତ କରୀନା କପୁର ଖାନ ନଜର ଆସିବେ।
Comments are closed.