ନଦୀ ନାଳରେ ପରିଣତ ହେଲାଣି

ଯାଜପୁର : ବ୍ରାହ୍ମଣୀ ନଦୀର ମୁଖ୍ୟ ଶାଖା ଖର‌ସ୍ରୋତା ନଦୀ ଜେନାପୁରଠାରେ ଉତ୍ପତ୍ତି ପରେପରେ ପ୍ରାୟ ୧୪କିଲୋମିଟର ଯାଏଁ ଜଳସ୍ରୋତ ନିଜର ଅସ୍ତିତ୍ବ ହରାଇଛି। ଯାହାକି ମୂଳ ଖରସ୍ରୋତା ଭାବେ ପରିଚିତ। ଟିକରପଡ଼ାରୁ ଖଣ୍ଡିତର ପର୍ଯ୍ୟନ୍ତ ଥିବା ଏହି ମୂଳ ଖରସ୍ରୋତା ନଦୀ ଏବେ ପରିତ୍ୟକ୍ତ ନାଳର ଭ୍ରମ ସୃଷ୍ଟି କରୁଛି। ପୁନରୁଦ୍ଧାର ପାଇଁ ବାରମ୍ବାର କମିଟି ଓ ପ୍ରତିନିଧି ଦଳ ଅନୁସନ୍ଧାନ ପରେ ମଧ୍ୟ ଏହା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ଛକାପଞ୍ଝାରେ ଫସିଯାଇଛି। ମୂଳ ଖରସ୍ରୋତାର ପୁନରୁଦ୍ଧାର ପାଇଁ ୪କୋଟି ୬୬ଲକ୍ଷ ଟଙ୍କାର ଟେକ୍ନିକାଲ ଆଡଭାଇଜର କମିଟି (ଟିଏସି)ର ପ୍ରସ୍ତାବ ୩ବର୍ଷ ହେଲା ଅନୁମୋଦନ ନକରି ପକାଇ ରଖାଯାଇଛି। ବିକାଶ ନାମରେ ଏହାକୁ ମାରି ଦିଆଯାଇଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ଏହି ଅଞ୍ଚଳର ଜୀବନରେଖା କୁହାଯାଉଥିବା ମୂଳ ଖରସ୍ରୋତାକୁ ପୁନଃ ଜୀବନଦାନ ପାଇଁ ଆରମ୍ଭ ହୋଇଯାଇଛି ।

ରାଜ୍ୟର ବିକାଶରେ ବ୍ରାହ୍ମଣୀ ନଦୀର ଏକ ବଡ଼ ଯୋଗଦାନ ରହିଛି। ରାଉରକେଲାଠାରୁ ଆରମ୍ଭ କରି ଅନୁଗୁଳ ଓ ଯାଜପୁର ସମେତ ବ୍ରାହ୍ମଣୀ ନଦୀ କୂଳେକୂଳେ ଶିଳ୍ପ ପ୍ରତିଷ୍ଠାନ ଗଢିଉଠିଛି। ଏହି ଗୁରୁତ୍ବପୂର୍ଣ୍ଣ ବ୍ରାହ୍ମଣୀ ନଦୀର ମୁଖ୍ୟ ଶାଖା ‌ଖରସ୍ରୋତା ନଦୀ ଯାଜପୁର ଜିଲ୍ଲାର ଜେନାପୁର ନିକଟରୁ ବାହାରିଛି।
ଜେନାପୁରଠାରେ ବ୍ରିଟିଶ ଶାସନ ସମୟରେ ନିର୍ମିତ ଆନିକଟ କ୍ରମେ ବାଲିରେ ପୋତି ହୋଇଯିବା ଫଳରେ ବ୍ରାହ୍ମଣୀର ଅଧିକାଂଶ ଜଳ ଖରସ୍ରୋତା ନଦୀରେ ପ୍ରବାହିତ ହେଉଥିଲା। ଫଳରେ, ଖରସ୍ରୋତାର କଳେବର ବୃଦ୍ଧି ‌ହେବା ସହିତ ପ୍ରଶସ୍ତ ବି ହୋଇଥିଲା। ଟିକରପଡ଼ାରେ ଗୋଟିଏ ବଙ୍କାସ୍ଥାନରେ ଖରସ୍ରୋତର ଅନ୍ୟ ଏକ ଶାଖା ସୃଷ୍ଟି ହୋଇଥିଲା। ଏହି ଶାଖା ଲମ୍ବିଯାଇ ଖଣ୍ଡିତର ଗ୍ରାମ ନିକଟରେ ମୂଳ ଖରସ୍ରୋତା ସହିତ ମିଶିଲା ଏବଂ ପାଟ ମଧ୍ୟଦେଇ ପ୍ରବାହିତ ହୋଇଥିବାରୁ ଏହାର ନାମ ସେତେବେଳେ ପାଟିଆ ନଦୀ ବୋଲି କୁହାଯାଉଥିଲା। ପାଟିଆ ନଦୀ ନରମ ମାଟି ପାଇଁ ବୃଦ୍ଧି ପାଇଚାଲିଲା। ଏଥିସହିତ, କ୍ରମଶଃ ଅଧିକ ଗଭୀର ଓ ଓସାର ବି ହେଲା। ଏପରିକି ଭୟଙ୍କର ବନ୍ୟା ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କଲା। ବନ୍ୟା ନିୟନ୍ତ୍ରଣ ପାଇଁ ଦକ୍ଷିଣ ପାର୍ଶ୍ବ ବନ୍ଧକୁ ଟିକରପଡାଠାରେ ଖରସ୍ରୋତା ଉପରଦେଇ ସଂପ୍ରସାରିତ କରାଯିବାରୁ ମୂଳ ଖରସ୍ରୋତାର ଜଳ ପ୍ରଭାବ ସଂପୂର୍ଣ୍ଣରୂପେ ବନ୍ଦ ହୋଇଗଲା। ଯାହାଫଳରେ, ମୂଳ ଖରସ୍ରୋତ ନଦୀଶଯ୍ୟା ଧୀରେଧୀରେ ପୋତି ହେବାରେ ଲାଗିଲା। ଫଳରେ, ମୂଳ ଖରସ୍ରୋତା ନିଜର ଅସ୍ତିତ୍ବ ହରାଇବାକୁ ବସିଛି।

Comments are closed.