ରାଜ୍ୟସଭାରୁ ବିଦାୟ ନେଲେ ୫ ସାଂସଦ

ନୂଆଦିଲ୍ଲୀ: ସଂସଦର ‌ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଆଜି ଲୋକସଭାରେ ଉଦ୍‌ଯାପନୀ ଭ‌ାଷଣ ଦେଇ କହିଛନ୍ତି, ଗୃହରେ ୩୯ ଘଣ୍ଟାର କାର୍ଯ୍ୟ ହୋଇଛି। ଡିଜିଟାଲ୍‌ ପର୍ସନାଲ ଡାଟା ପ୍ରୋଟେକ୍ସନ୍‌ ବିଲ୍‌, ୨୦୨୩ ଏବଂ ଦିଲ୍ଲୀ ସର୍ଭିସ୍‌ ସଂଶୋଧନ ବିଲ୍‌, ୨୦୨୩ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଲୋକସଭାରେ ଗୃହୀତ ହୋଇଛି। ଚଳିତ ମୌସୁମୀ ଅଧିବେଶନରେ ବିରୋଧୀ ସାଂସଦମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ବାଚନିକ ଭୋଟ୍‌ରେ ବିରୋଧୀଙ୍କ ଅନାସ୍ଥା ଲୋକସଭାରେ କାଟ ଖାଇଥିଲା। ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦ରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। କିନ୍ତୁ ମଣିପୁର ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ହଙ୍ଗାମା ପାଇଁ ଉଭୟ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା। ‌ଲୋକସଭା ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ମନ୍ତ୍ରୀ ଗୃହରେ ଉପସ୍ଥିତ ଥିଲେ।

ରାଜ୍ୟସଭା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଛି। ରାଜ୍ୟସଭା ଆଜି ୫ ସଦସ୍ୟଙ୍କୁ ବିଦା‌ୟ ଦେଇଛି। ବିଜେପି ନେତା ଯୁଗଳସିଂହ ଲୋଖଣ୍ଡୱାଲାଙ୍କ ସମେତ ମୋଟ୍‌ ୫ ଜଣ ସଦସ୍ୟ ଆଜି ରାଜ୍ୟସଭାରୁ ବିଦାୟ ନେଇଛନ୍ତି। ରାଜ୍ୟସଭାରୁ ଅବସର ନେଉଥିବା ୯ ସଦସ୍ୟଙ୍କ ମଧ୍ୟରୁ ୪ ଜଣଙ୍କୁ ପୁନଃନିର୍ବାଚିତ କରାଯାଇଛି ଏବଂ ଅନ୍ୟ ୫ ସଦସ୍ୟଙ୍କ ଉପସ୍ଥିତିକୁ ଗୃହ ମନେ ପକାଇବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଛନ୍ତି। ବିଜେପିର ଏସ୍‌ ଜୟଶଙ୍କର ଏବଂ ଏଆଇଟିସିର ସୁଖେନ୍ଦୁ ଶେଖର ରାୟ, ଡେରେକ ଓବ୍ରାଏନ ଏବଂ ଡୋଲା ସେନ୍‌ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଅବସର ନେଇଥିବା ୫ ଜଣ ସଦସ୍ୟ ହେଉଛନ୍ତି ବିଜେପିର ଜୁଗଳସିଂହ ଲୋଖଣ୍ଡୱାଲା, ଦିନେଶଚନ୍ଦ୍ର ଜେମଲଭାଇ, ଟିଏମ୍‌ସିର ସୁଶ୍ମିତା ଦେବ, ଶାନ୍ତା ଚ୍ଛେତ୍ରି ଏବଂ କଂଗ୍ରେସର ପ୍ରଦୀପ ଭଟ୍ଟାଚାର୍ଯ୍ୟ।

Comments are closed.