ସ୍ମାର୍ଟ ସିଟି ପ୍ରକଳ୍ପର ସମୀକ୍ଷା କଲେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ

ରାଉରକେଲା, ୧୭-୫, ରାଉରକେଲା ସ୍ମାର୍ଟ ସିଟି ପ୍ରକଳ୍ପ ଅଧିନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନର ତଥା ସଚିବ ଜି. ମାlଥିଭାତନନ୍। ରାଉରକେଲା ମହାନଗର ନିଗମର କାଉନସିଲ ହଲରେ ଏହି ସ୍ବତନ୍ତ୍ର ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା।
ବୈଠକ ଆରମ୍ଭରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତି ରଶ୍ମିତା ପଣ୍ଡା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ। ବର୍ତ୍ତମାନ ସୁଦ୍ଧା ୨ଟି ପାର୍କର ଉନ୍ନତିକରଣ ନିମନ୍ତେ ଟେଣ୍ଡର୍ ଆହ୍ୱାନ କରାଯାଇଥିବା ବେଳେ ଅନ୍ୟ ୪ଟି ପାର୍କ ନିମନ୍ତେ ଖୁବଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ ବୋଲି ସେ କହିଥିଲେ। ସେହିପରି ବିଶ୍ରା ଷ୍ଟାଡିୟମ୍, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଓ ମଲ୍ଟି ଲେଭଲ କାର୍ ପାର୍କିଂ ପ୍ରକଳ୍ପ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଶେଷ ହେବା ନେଇ ଶ୍ରୀମତି ପଣ୍ଡା ସୁଚନା ଦେଇଥିଲେ।
ସ୍ମାର୍ଟ ସିଟି ପ୍ରକଳ୍ପ ଅଧିନରେ ଥିବା ପ୍ରତ୍ୟେକଟି ପ୍ରକଳ୍ପର ସମୀକ୍ଷା କରି ଶ୍ରୀ ମାଥିଭାତନନ୍ ଏହାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ପ୍ରତ୍ୟେକଟି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ଲାଗି ସମୟ ସୀମା ଧାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକଳ୍ପକୁ ଆଗେଇ ନେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।
ସ୍ମାର୍ଟ ସିଟି ପ୍ରକଳ୍ପ ସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ଏବଂ ଏହାର ରୂପାୟନ ସଂପର୍କରେ ଶ୍ରୀ ମାଥିଭାତନନ୍ ଉପସ୍ଥିତ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ସେହିପରି ଜଳ ଯୋଗାଣ ପ୍ରକଳ୍ପ ଓ ଏବଂ ସ୍ୱେରେଜ୍ ପ୍ରକଳ୍ପ ଉପରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଥିଲା।
ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର କୁମାର ମୀନା, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମାର୍ଶଲ ଏକ୍କା, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନବୀନ ପଟେଲ୍, ରାଉରକେଲା ମହାନଗର ନିଗମର ଉପାୟୁକ୍ତ ଶ୍ରୀମତି ସୁଷମା ବିଲୁଙ୍ଗ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.