ଦନ୍ତା ନେଲା ପୁଣି ଏକ ଜୀବନ, ଜଙ୍ଗଲ ନଷ୍ଟ ହେଉଥିବାରୁ ହାତୀ ପଲ ସହର ମୁଁହା

ଜଙ୍ଗଲ କୁ କାଟି ନଷ୍ଟ କରିବାରେ ମୂଲ୍ୟ ଗ୍ରାମ ବାସୀଙ୍କୁ ନିଜ ଜୀବନ ଦେଇ ଚୁକାଇବାକୁ ପଡୁଛି। ଆଜି ପୁଣି ଦନ୍ତା ଆକ୍ରମଣରେ ଜଣେ ଗ୍ରାମ ବାସୀର ମୃତ୍ୟୁ ଘଟିଛି। ସୂଚନା ମୁତାବକ ବିଶ୍ରା ବ୍ଲକ ଅନ୍ତର୍ଗତ ତିତରକେଲା ପଞ୍ଚାୟତର ମଣ୍ଡପ ଗ୍ରାମର ସୋମାଲିଆ ଓରାମ ନାମକ ଜଣେ ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ଆଜି ସକାଳୁ ଶୌଚ ପାଇଁ ପାଖ ଜଙ୍ଗଲ ଆଡକୁ ଯାଇଥିବା ବେଳେ ଗତକାଲି ରାତିରେ ଆସିଥିବା ହାତୀପଲରୁ ରହିଯାଇଥିବ ଗୋଟେ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲା। ଦନ୍ତା ଟି ସୋମାଙ୍କୁ ଟାଣି ନେଇ କଚାଡି ଦବାରୁ ଘଟଣା ସ୍ଥଳରେ ସୋମା ଙ୍କ ମୃତ୍ୟୁ ଘଟିଥିଲା। ହାତୀପଲ ଗତକାଲି ରାତିରେ ଜଙ୍ଗଲରୁ ବାହାରି ଗ୍ରାମ ଆଡକୁ ଆସିଥିବା ବେଳେ ଭୋର ସମୟରେ ଫେରିଥିବାର ଜଣା ପଡ଼ିଛି। ବିଶ୍ରା ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ଗ୍ରାମ ବାସୀ ସୋମା ଙ୍କ କ୍ଷତିପୂରଣ ଦାବି କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ବିଶ୍ରା ବନଖଣ୍ଡ ଅଧୀନରେ ଥିବା ଜଙ୍ଗଲରେ ଦିନକୁ ଦିନ ଶାଗୁଆନ, ଶାଳ ଭଳି ଅପର୍ଯ୍ୟାପ୍ତ ପରିମାଣର ମୂଲ୍ୟବାନ ଗଛ କଟାଯାଇ ବାହାରକୁ ରପ୍ତାନି ହେଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ବିନା ସହାୟତାରେ ଏହା କିପରି ସମ୍ଭବ ବୋଲି ସାଧାରଣ ପ୍ରଶ୍ନ ସୃଷ୍ଟି କରିଛି। ଯାହାକି ବନବିଭାଗ ଅଧିକାରୀ ଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ଛଡା ଏଭଳି ଅନୈତିକ କାର୍ଯ୍ୟକୁ ରୋକାଯାଇପାରୁନଥିବା ତଥା ସ୍ଥାନୀୟ ଗ୍ରାମବାସୀଙ୍କୁ ବନ୍ୟଜନ୍ତୁଙ୍କ କବଳରୁ ସୁରକ୍ଷା ଦେବାରେ ଅସଫଳ ହେଉଥିବା ବନବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଗ୍ରାମବାସୀଙ୍କ ଭରଷା ତୁଟିବା ସାଙ୍ଗକୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

Comments are closed.