ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ରଙ୍କ ଇସ୍ତଫା

ଡେରାଡୁନ୍ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅପରାହ୍ନ ୪ଟା ପରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟାଙ୍କୁ ସେ ଆଜି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ନେଇ ତ୍ରିବେନ୍ଦ୍ର ସିଂ ରାୱତ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଉତ୍ତରାଖଣ୍ଡର ସେବା କରିବାକୁ ଦଳ ତାଙ୍କୁ ୪ ବର୍ଷ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦେଇଥିଲା । ଦଳ ଏବେ ଏହି ସୁଯୋଗ ଅନ୍ୟ ଜଣେ ନେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି ।’ ଗତ କାଲି ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ।

ଆସନ୍ତାକାଲି ଦିନ ୧୦ଟା ସମୟରେ ବିଜେପି ବିଧାୟକ ଦଳର ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ବସିବ । ଅନ୍ୟପକ୍ଷରେ ବିଜେପି ବିଧାୟକ ମୁନ୍ନା ସିଂ ଚୌହାନ କହିଛନ୍ତି ଯେ ପ୍ରାୟ ୫୬ ଜଣ ବିଜେପି ବିଧାୟକ ତ୍ରିଭେନ୍ଦ୍ରଙ୍କ ସମର୍ଥନରେ ଅଛନ୍ତି । ଏହା ସହ ଗତ କିଛି ଦିନ ଧରି ଚାଲିଆସୁଥିବା ନେତୃତ୍ୱ ପରିବର୍ତ୍ତନର ସଙ୍କଟ ଏବେ ସମାପ୍ତ ହେବା ଦେଖିବାକୁ ମିଳିବ । ବିଧାନସଭା ନିର୍ବାଚନର ଏକ ବର୍ଷ ପୂର୍ବରୁ ଦେଖାଦେଇଥିବା ଏହି ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଧନ ସିଂହ ରାୱତ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଖବର ମିଳୁଛି କି, ବିଜେପି ନେତା ପୁଷ୍କର ସିଂହ ଧାମୀଙ୍କୁ ରାଜ୍ୟର ଡେପୁଟି ସିଏମର ଦାୟିତ୍ୱ ମିଳିପାରେ ।

Comments are closed.