ଗ୍ରହ ଦୋଷ ଖଣ୍ଡନ ପାଇଁ ପୂଜାପାଠ ଆଳରେ ସ୍ଵାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀ ସହ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି, ଅପୂର୍ବ ଥଣ୍ଡର : ଗ୍ରହ ଦୋଷ ଖଣ୍ଡନ ପାଇଁ ପୂଜାପାଠ ଆଳରେ ସ୍ଵାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀ ସହ ଦୁଷ୍କର୍ମ ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ପଡିଆ ଥାନା ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟେକାଲଗୁଡା ଗ୍ରାମରୁ । ଏହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗି ରହିବାରୁ ଏମ୍ ପି ଭି ୬୬ ଗ୍ରାମର ଅପୂର୍ବ ପାଲଙ୍କ ପରାମର୍ଶ କ୍ରମେ ଘରେ ପୂଜାପାଠ କରି ଗ୍ରହ ଦୋଷ ଖଣ୍ଡନ କରିବାକୁ ସ୍ଥିର କରିଥିଲେ। ଏଥିପାଇଁ ଗତ ଗୁରୁବାର ସଂଧ୍ୟାରେ ପୂଜା ପାଠ କରାଯିବା ପରେ ଉଭୟ ସ୍ଵାମୀ ସ୍ତ୍ରୀ ଅପୂର୍ବଙ୍କ ସହ ଗୋଟିଏ କୋଠରୀରେ ଶୋଇଥିବା ବେଳେ ପରିବାରର ବଳକା ସଦସ୍ୟ ଅନ୍ୟ ଏକ କୋଠରୀରେ ରହିଥିଲେ। ତେବେ ବଡି ଭୋରରୁ ଅପୂର୍ବ ପୀଡିତାଙ୍କ ସ୍ଵାମୀଙ୍କୁ ପୂଜା ଫୁଲ ନଦୀରେ ବିସର୍ଜନ କରି ଆସିବା ସହ ପୂଜା ସମାପନ କରିବାକୁ କହିଥିଲେ। ପୂଜକଙ୍କ କଥାରେ ପିଡିତାଙ୍କ ସ୍ୱାମୀ ଗ୍ରାମ ଠାରୁ ଦୂରକୁ ଚାଲିଯିବା ପରେ ଏହାର ସୁଯୋଗ ନେଇ ଅପୂର୍ବ ପାଲ ପୀଡିତାଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେଇଥିବା ପୀଡିତା ନିଜର ଏତଲାରେ ଉଲ୍ଲେଖ କରିଛନ୍ତି । ଏଥିସହ ଏତଲା ପାଇ ପୋଲିସ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଅପୂର୍ବ ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.