ନିଶା ଟ୍ୟାବଲେଟ କାରବାରରେ ଜଣକୁ ଗିରଫ କରିଛି ବଲାଙ୍ଗୀର ପୋଲିସ

ବଲାଙ୍ଗୀର, ସୁଜାତା ମିଶ୍ର : ବଲାଙ୍ଗିର ସହର ଭିତରେ ଜୋରସୋରରେ ଚାଲିଛି ବେଆଇନ ନିଶା କାରବାର । ଏହା ଉପରେ ରୋକ ଲଗାଇବା ପାଇଁ ବଲାଙ୍ଗିର ଏସ.ପି ସନ୍ଦୀପ ସଂପଦଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଛି ମିଶନ କ୍ଲୀନ କ୍ରିମିନାଲ । ଏନେଇ ସ୍ୱତନ୍ତ୍ର ଟିମ ବିଭିନ୍ନ ଜାଗାରେ ଚଢଉ କରି ନିଶା ବେପାରୀ ଏବଂ ଅପରାଧି ମାନଙ୍କୁ କାବୁ କରୁଛି । ଗତକାଲି କୌଣସି ସୂତ୍ରରୁ ଖବର ପାଇ ଟାଉନଥାନା ସବ ଇନସ୍ପେକ୍ଟର ରମାକାନ୍ତ ପୋଲିସ ଟିମ ସହିତ ହାତୀଶାଳପଡା କ୍ଲବ ନିକଟରେ ଚାଲିଥିବା ଏକ ନିଶା ଆଡ୍ଡା ଉପରେ ଚଢଉ କରିଥିଲେ । ସେଠାରେ ଜୋରଖଣ୍ଡିପଡାର ବସନ୍ତ ସାହୁ ବେଆଇନ ଭାବେ ନିଶା ଟ୍ୟାବଲେଟ ବିକ୍ରୀ କରୁଥିବା ଖୁଲାସା କରିଥିଲା ପୋଲିସ । ପୋଲିସ ବସନ୍ତ ଠାରୁ ଆନଜୋଲାମ ନାମକ ୧୫୦୦ ଟି ନିଶା ଟ୍ୟାବଲେଟ ଜବତ କରିଛି । ତେବେ ବସନ୍ତ ନିଶାଖୋର ଯୁବକ ମାନଙ୍କୁ ବେଆଇନ ଭାବେ ନିଶା ଟ୍ୟାବଲେଟ ବିକ୍ରୀ କରୁଥିଲା । ପୋଲିସ ବସନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏତେ ସଂଖ୍ୟାରେ ନିଶା ଟ୍ୟାବଲେଟ ବିନା ପ୍ରେସକ୍ରିପସନରେ ବସନ୍ତ କେଉଁଠୁ ଆଣୁଥିଲା ଏବଂ ନିଶା କାରବାରରେ ଆଉ କିଏ କିଏ ମାଷ୍ଟର ମାଇଣ୍ଡ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ.ଡି.ପି.ଓ ଶ୍ରୀମନ୍ତ ବାରିକ ।